Unknown

ଆର୍ଯ୍ୟବାଳା

ଶ୍ରୀ ଚିନ୍ତାମଣି ମହାନ୍ତି

 

କହ ମାତଃ ବୀଣାପାଣି ଭାଷାର ଜନନୀ

ଭାଷାସ୍ୱରୁପିଣୀ, ନିତ୍ୟ ନବଭାବମୟୀ,

କି କୌଶଳେ ଆର୍ଯ୍ୟବାଳା ପଦ୍ମାକ୍ଷି ପଦ୍ମିନୀ

( ଲାବଣ୍ୟ-ଲଳାମ-ଭୂଷା, ସତୀକୁଳଟିକା )

 

ଉଦ୍ଧାରିଲା ପ୍ରାଣପ୍ରିୟ ପାତିବ୍ରତ୍ୟେ ନିଜ

( ସଯତ୍ନ-ରକ୍ଷିତ-ରତ୍ନ ରଙ୍କୁଣୀ-ସଙ୍ଖାଳି )

ବନ୍ଦୀପତି ସହ, କ୍ରୂର ଯବନସମ୍ରାଟ

ଦୁରନ୍ତ ଆଲ୍ଲାଉଦ୍ଦିନ କରାଳ-କବଳୁ,

 

ତୋଳିଗଲା ନିଜେ ସତୀ ନିଜ ସ୍ମୃତି-ସୌଧ ।

ଯାହାର ପବିତ୍ର କୀର୍ତ୍ତି-କୁସୁମ-ସୌରଭେ

ଅଦ୍ୟାପି ନିର୍ମଳ ଅଛି ଭାରତୀୟ ବାୟୁ ।

ବର୍ଣ୍ଣି ସେହି ପୁଣ୍ୟଗାଥା ପୁରାଣପ୍ରତିମ,

 

କରନ୍ତୁ କୃତାର୍ଥ ମାତଃ, ଏ କିଣା କିଙ୍କରେ ।

ଚିର-ବୀରପ୍ରସବିନୀ ବୀରଯଶେ ଗଢ଼ା

ବିଚିତ୍ର ଚିତୋର ଦୁର୍ଗେ ବସିଅଛି ଆଜି

ବିରାଟ ମନ୍ତ୍ରଣା ସଭା, ପରିପୂର୍ଣ୍ଣ ତହିଁ

 

ରୁଦ୍ରକାନ୍ତ ରଣରଙ୍କା ରାଜପୁତ ବୀରେ

ଗାଲମୋଚାଧାରୀ, କିନ୍ତୁ ବିଷଷ୍ଣ ସ୍ୱରବେ,

ଦିବସକୁମୃଦ କିମ୍ବା ପ୍ରାତଃଇନ୍ଦୁ ଯଥା ।

କେତେକ୍ଷଣ ପରେ ଉଚ୍ଚେ କହିଲେ ସମ୍ବୋଧି

 

ଭୀମସିଂହ-ରାଜାଙ୍କର ପିତୃବ୍ୟ ପ୍ରତିଭୂ, *

‘‘ହେ ବୀରେ, ଭାରତ-ମାତା ଭାଗ୍ୟକ୍ଷୟ କାଳେ

କୁକ୍ଷଣେ ଆସିଲା ଆଲ୍ଲା-ଦୁର୍ଦାନ୍ତ ନିର୍ମମ,

ଭାରତ-ମହାବୃକ୍ଷର କାଟି ବହୁଶାଖା

* ରାଣା ଲକ୍ଷ୍ମଣ ସିଂହ ଅପ୍ରାପ୍ତବୟସ୍କ ଥିବା ସମୟରେ ତାହାଙ୍କ ପିତୃବ୍ୟ ଭୀମ ସିଂହ ରାଜକାର୍ଯ୍ୟ ପରିଚାଳନ କରୁଥିଲେ ।

 

କାଠୁରିଆ ପ୍ରାୟ, ଅହୋ ! ଦୁର୍ବାର ଲାଳସା

ମେଣ୍ଟୁ ନାହିଁ ତାର, ଲଭେ ପ୍ରବୃଦ୍ଧି ପ୍ରତ୍ୟୁତ

ଭଜେ କି ବ୍ରହ୍ମାଣ୍ଡଗ୍ରାସେ ସଂତୃପ୍ତି ଅନଳ ?

ସତତ ଅପୂର୍ଯ୍ୟମାଣ ମତ୍ସରୀ ମାନସ

ଚାଳମୀ ସଦୃଶ, କିମ୍ବା ଚପଳ ସ୍ୱଭାବ

ବାନର ଆକାଙ୍‌କ୍ଷା ଯଥା, ବୁଭୁକ୍ଷା ବିହୀନେ

କରେ ଅକାରଣେ ସୁଦ୍ଧା ସେ ଫଳ ପ୍ରତ୍ୟାଶା ।

ଶୁଣି ଦୁଷ୍ଟ ପଦ୍ମିନୀର ( ରୁପରାଜ୍ୟରାଣୀ )

 

ଅଲୋକସାମାନ୍ୟ ଦିବ୍ୟ ଲାବଣ୍ୟ ଆଶଂସା,

ଫେରୁ ହୋଇ ବାନ୍ଧି ଆଶା ମେରୁ ଉତ୍ପାଟନେ

ଆକ୍ରମିଛି ଆସି ଏବେ ଚିତୋର ନଗରୀ,

ଆକ୍ରମନ୍ତି ଯଥା ସିଂହଗହ୍ୱର କିରାତେ,

 

ମାତ୍ର ହରି କ୍ରୋଧେ ଥରି ଫୁଲାଇ କେଶର

ଚାହିଁଲେ ଅପାଙ୍ଗେ ଥରେ ଦନ୍ତ କଡ଼ମଡ଼ି

ପଳାନ୍ତି କେ କାହିଁ ଭୟେ, ଶୋଇଲେ କେଶରୀ

ଆକ୍ରମନ୍ତି ପୁଣି ଯାଇ ବେଢ଼ିଣ ଚୌପାଶୁ,

 

ତଥା ଦୁଷ୍ଟ ବୀରଗ୍ଲାନି ଯବନ ସୈନିକେ

ଲୁଚନ୍ତି ସମ୍ମୁଖ ଯୁଦ୍ଧେ ଉପେକ୍ଷି ସମର,

ମାତ୍ର ପରକ୍ଷଣେ ରତ ଦୁର୍ଗ ଅବରୋଧେ ।

ବରଗିଛି ଦୁତ ଆଲ୍ଲା-ମାନବ-ପିଶାଚ

 

ସନ୍ଧିଅର୍ଥେ, ଇଚ୍ଛା ତାର ନିରେଖି ଦର୍ପଣେ

ପ୍ରତିରୂପ ପଦ୍ମିନୀର, ବାହୁଡ଼ିବ ଦେଶେ

ଯବନବାହିନୀ ସହ, ଏଥିକୁ ହେ ବୀରେ,

କାହାର କି ଅଭିମତ ପ୍ରକାଶ ସତ୍ୱର ।’’

 

ଶୁରସିଂହ ନାମେ ଶୁର ଶୁଣି ଏ ଭାରତୀ

ଭାଷିଲା ଏସନ- ‘‘ଅହୋ, କି ପାପପ୍ରସ୍ତାବ !

ଶୁଣି ଏହା ନ କରିବ କେବଣ ପାତକୀ

ପ୍ରାୟଶ୍ଚିତ୍ତ, ଏ ଜଘନ୍ୟ ଘୃଣିତ କଥାରେ

 

ହେବ କେଉଁ ମତିଭ୍ରଷ୍ଟ ପାଷଣ୍ଡ ସମ୍ମତ ?

ସହିବ କି ଯବନର ଏହି ଦର୍ପବାଣୀ

ବରବୀର-ମଣି-ଖଣି ଏ ମିବାର ମହୀ,

ପୁଣି ସହିବ କି ଅହୋ ! ଏ ଘୋର ଲାଞ୍ଛନା

 

ଯଶୋରଙ୍କ ବୀରପ୍ରାଣ, ବୀରଭୁଜ ବହି,

ଯାଉ ପ୍ରାଣ ଥାଉ ମାନ ଯାଙ୍କ ଚିରପଣ ।

କିଏ ଅବା ଏଡ଼େ ଭୀରୁ ଏଡ଼େ କାପୁରୁଷ,

ସମର୍ଥିବ ଲଜ୍ଜାବହ ଏ ହୀନ ପ୍ରସ୍ତାବ !

 

ଦୁର୍ନୀତି ଦମନେ, ପାପ ପ୍ରତିଫଳ ଦାନେ

କେବେ କି ହେ ପରାଙ୍ମୁଖ ରାଜପୁତ ବାହୁ ?

ଯେ ଜାତି ଧରଣୀ ମଧ୍ୟେ ଅଭ୍ୟସ୍ତ ସତତ

ନାରୀମାନ-ସଂରକ୍ଷଣେ, ସେହି ବୀର ଜାତି

 

ଅର୍ପିବେ କି କୁଳଲକ୍ଷ୍ମୀ ଯବନ ହସ୍ତରେ

କ୍ଲୀବପ୍ରାୟ ପ୍ରାଣରଙ୍କ ହୋଇ, ଦେଇ ବଳି

କୌଳିକ ଗୌରବ ଯଶେ କଳଙ୍କ ପୀଠରେ ?

ମହାସତୀ ପଦାକଳ୍ପା ପଦ୍ମିନୀ ସୁନ୍ଦରୀ

 

ଚିତୋର-ଚନ୍ଦ୍ରିକା, ଯାଙ୍କ ସଦ୍ଗୁଣଗରିମା

ଉପମାଦି ଉପାଦାନ ଯୋଗାଏ ଭବିନେ,

ତାଙ୍କ ପୁତ ଦେବୀରୂପ ଦେଖିବ ଯବନ

ପାପ ନେତ୍ରେ, ଏଡ଼େ ବଡ଼ ଦୁରାକାଙ୍‌କ୍ଷା ତାର,

 

କିନ୍ତୁ ତାହା ହେବ ପଣ୍ଡ, ହୁଏ ବ୍ୟଥ ଯଥା

ଧର୍ମଦ୍ରୋହୀ ନାରକୀର ସ୍ୱର୍ଗ ଦର୍ଶନାଶା ।

ରମଣୀ ସୃଷ୍ଟିର ସାହା ପ୍ରକୃତିରୁପିଣୀ,

ବୁଝନ୍ତି ତେଜସ୍ୱୀ ବାରେ ଗୌରବ ତାଙ୍କର,

 

ସୁଲଭ ତାହାଙ୍କଠାରେ ସେ ଗୌରବ ମୁଲ୍ୟ,

ବଳ ବିନା ତେ ଜାଣିବ ବିଜୁଳି ସମ୍ମାନ ?

କମଳାସ୍ୱରୁପା ସେହି ରମଣୀ ଜାତିର

ନିରେଖି ଲାଞ୍ଛନାଭୋଗ, ରୁଦ୍ର କୋପାନଳେ

 

ନ ହେବ ଉତ୍ତପ୍ତ କେଉଁ କ୍ଷତ୍ରିୟ ଶୋଣିତ ?

ପଶିପାରେ ନାହିଁ ଭୟ ଭୟେ ଯାଙ୍କ କତି,

ରୁଷିଲେ ମୁହୂର୍ତ୍ତେ ଯେହୁ ପାରନ୍ତି ଘଟାଇ

ଅନ୍ତକର ମୃତ୍ୟୁ, ରଣେ ଅପ୍ରଧୃଷ୍ୟ ସେହି

 

ଉଗ୍ରତେଜା ରାଜପୁତ ଜାତିଙ୍କ ସମୀପେ

ଆଲ୍ଲାର ଏ କୁପ୍ରସ୍ତାବ ମରଣର ହେତୁ ।

ନ ପୂରିଲେ ପରମାୟୁ, ଖେଳିବ କି ଫଣୀ

ଫଣା ତୋଳି ବୁଭୁକ୍ଷିତ ନକୁଳ ସମ୍ମୁଖେ ?

 

ମୋ ମତରେ ଅର୍ପି ଦୁଷ୍ଟେ ପୂର୍ଣ୍ଣାହୁତିରୁପେ

କରିବା ଉଚିତ ଖରେ ସାଙ୍ଗ ରଣ-ଯାଗ,

ଲଭିବ ବର୍ବର ତେବେ ଯୋଗ୍ୟ ପ୍ରତିଫଳ ।’’

ଅନନ୍ତର ରଣଭୀମ ଆଖ୍ୟାତ ସେନାନୀ,

 

କହିଲାକ ଦୃପ୍ତ କଣ୍ଠେ ଗମ୍ଭୀର ବଚନେ,-

‘‘ଯା କହିଲେ ଶୂରସିଂହେ, ସତ୍ୟ ସତ୍ୟ ତାହା ।

ପଦ୍ମିନୀ-ପ୍ରାପ୍ତିମୂଳକ କରାଳ ପିପାସା

ଆଣିଲା ଯାହାକୁ ଟାଣି ସମରପ୍ରାଙ୍ଗଣେ,

 

( ଉପଯମାଳୟ ସମ, ଅସ୍ତ୍ର-କଣ୍ଟକିତ )

ଯବନ-ପାଂଶୁଳ ଦୁଷ୍ଟ ସେ ଆଲ୍ଲାଉଦ୍ଦିନ,

ତୃପ୍ତ ହେବ ଦର୍ପଣର ଛାୟାମାତ୍ର ଦେଖି,

ଆସୁ ନାହିଁ ପ୍ରତେ ଏହା ମନକୁ ମୋହର;

 

ଅଛି ଗୁପ୍ତ ଅଭିସନ୍ଧି ଏଥି କ୍ଷୁଧିତ କି

ତୃପ୍ତ ହେବ ଅନ୍ନ ଦେଖି ? ବରଞ୍ଚ ବଢ଼ିବ

ଆକାଙ୍‌କ୍ଷା ତାହାର, ଦୁଷ୍ଟ ନ ପାଇ ଉପାୟ

ଅଭୀଷ୍ଟ ସିଦ୍ଧିର କିଛି, ବିସ୍ତାରିଛି ଶେଷେ

 

ନିଶ୍ଚୟ ମାୟାବୀ ସ୍ତ୍ରୈଣ ଏ ଭଳି * ପେଖନା ।

ଭେଦନେ ସକ୍ଷମ କିଏ ମାୟାବୀର ମାୟା,

ସାରସ୍ୱତୀ ମହାବୁଦ୍ଧି ପରାଜିତା ଯହିଁ ।

ଖଳର ହୃଦୟ ବାକ୍ୟ ଅସଂଲଗ୍ନ ସଦା,

* ଛଳନା

 

ସ୍ୱଭାବେ ସେ କାଳବ୍ୟାଳ, କିନ୍ତୁ ଯଥାକାଳେ

ଧାରଣେ ସାଧୁତା-ଭାନ ନୁହେଁ ସେ କୁଣ୍ଠିତ ।

ବହଲେହେଁ କ୍ଷୀର ଆଖ୍ୟ ନୀର ଅଭିଧାନେ,

ଆସେ କି ମିଷ୍ଟତା ତହିଁ ଗୋରସ-ସଦୃଶ ?

 

ପୂର୍ଣ୍ଣ ହେଲେ ଦୁରାତ୍ମାର ଦୁଷ୍ଟ ମନୋରଥ,

ଲଭିବ ପ୍ରଶ୍ରୟ ତାର ଦୌରାତ୍ମ୍ୟ କ୍ରମଶଃ;

ଚିର ଅଭାସ୍କରଂ ପଶ୍ୟା ପଦ୍ମିନୀରୁପିଣୀ

ଆର୍ଯ୍ୟକୁଳ-କମଳାଙ୍କୁ ଦେଖାଇ ଯବନେ

 

କେ ହେବ ସମ୍ମତ ତାଙ୍କୁ ଅପବିତ୍ରବାକୁ ?

ଉଚ୍ଚାରିଲା ଆଲ୍ଲା ଏଡ଼େ ଅପମାନ ବାଣୀ,

ଛେଦନର ଯୋଗ୍ୟ ତାର ସେ ପାପ-ରସନା,

ଦେଖାଇ ରମଣୀ ରୂପ, ରମଣୀ ସହାୟେ

 

ହେବ ରିପୁମୁକ୍ତ ମହା ରାଜପୁତ ଜାତି,

ଏ କଳଙ୍କ ଅପଖ୍ୟାତି ରଖିବାକୁ ତାର

ବୀରକୁଳେ ମିଳିବ କି ଠାବ ? ଏଡ଼େ କି ହେ

ହୀନବୀର୍ଯ୍ୟ ସେହୁ, ଥାଏ ଯଦି ସତ୍ୟ କେହି

ଏ ଭଳି ଭୟାଳୁ, ଧରି ସେ ରମଣୀବେଶ

ରଖୁ ନାରୀପଛେ ଲୁଚି ନିର୍ଲଜ୍ଜ ଜୀବନ !

ମୋ ବିଚାର ରାଜପୁତ ସାମରୀ-ଶାର୍ଦ୍ଦୂଳେ

ଉଚ୍ଚାରି ଉବରଦେବୀ ୧ ଏକଲିଙ୍ଗ ନାମ ୨

୧- ଚିତୋରର ଅଧିଷ୍ଠାତ୍ରୀ ଦେବୀ ।

୨- ରାଜପୁତମାନଙ୍କର ପୁଜ୍ୟ ଦେବତା ।

 

ଉଦ୍‌ଘାଟି ଦୁର୍ଗର ଦ୍ୱାର, ଅମିତ ଉତ୍ସାହେ

କରନ୍ତୁ ନିପାତ ଶତ୍ରୁ, ଦୁଷ୍ଟ ଯବନର

ଉତ୍କଟ ରୋଗର ଏହା ଯୋଗ୍ୟ ମହୌଷଧି ।’’

ନୀରବନ୍ତେ ଏହା ଭାଷି ରଣଭୀମ, ତହୁଁ

 

ବିବରିଲେ ବିରଭାନୁ-ବୀରକୁଳ-କେତୁ,

‘‘ରଣ ପରାମର୍ଶ ଦାନ ନୁହେଁ ଶୁଭଙ୍କର

ଉପସ୍ଥିତ ଦୁଃସମୟେ, ମୋର ଏହି ମତ;

ବହୁଦିନ ଅବରୋଧ ଚିତୋର ରାଜ୍ୟର

 

ଘଟିଅଛି ବଳକ୍ଷୟ, ସଂରୁଦ୍ଧ ସର୍ବଥା

କୃଷି, ଶିଳ୍ପ, ବାଣିଜ୍ୟର ପଥ, ଶୂନ୍ୟପ୍ରାୟ

ରାଜକୋଷ, ଏଣୁ କ୍ରମେ ଆସୁଛି ସଙ୍କୋଚି

ସବିଙ୍କ ଉତ୍ସାହ, ରୌଦ୍ରେ ପକ୍ୱଫଳ ଯଥା,

 

ନୁହେଁ କି ଏକାଳେ ଯୁଦ୍ଧ ସର୍ବନାଶହେତୁ ?

ଅତୀବ ପ୍ରବଳ ଶତ୍ରୁ, ଧରଷିବା ତାକୁ

ନୁହଇ ସହଜସାଧ୍ୟ, କେତେ ଆର୍ଯ୍ୟନୃପେ

ହେବେ ଆମ୍ଭ ପକ୍ଷ ସତ୍ୟ, ମାତ୍ର ତାଙ୍କ ପରେ

 

ନିର୍ଭରି ଜାଳିବା ଉଗ୍ର ରଣ-ହୁତାଶନ

ନୁହଇ ଉଚିତ କେଭେଁ, ଥିଲେହେଁ ସହାୟ

ଝଞ୍ଜାନିକ ଅନଳର, ପାରଇ କି ସେହୁ

ସରସୀ ସଲିକରାଶି ଭରସି ପରଶି ?

 

ସାଧିବ ସକଳ କାର୍ଯ୍ୟ ଦେଶ କାଳ ପୁଣି

ପାତ୍ର ଅନୁକୂଳେ, ଏହା ନୀଜିଶାସ୍ତ୍ରାଦେଶ;

ଅରିକରୁ ଆତ୍ମରକ୍ଷା ବଳେ କିମ୍ବା ଛଳେ,

କ୍ଷତ୍ର-ଶାସ୍ତ୍ରଧାରା ଏହା, କ୍ଷତ୍ର-ଅନୁସୃତ ।

 

ପଦ୍ମିନୀଙ୍କୁ ଦେଖିଲେ ବା କି କ୍ଷତି ତହିଁରେ ?

କେଉଁ ମାନନାଶ ତହିଁ ? ଗଲେ ସୁଦ୍ଧା ମାନ,

ହେବ ତା ସଂଗ୍ରହ କରି କର୍ମସୂତ୍ରେ ପୁଣି,

ମାତ୍ର ପ୍ରାଣ ଗଲେ ଆଉ ଆସିବ କି ଫେରି ?

 

ବହୁବାର ଯାଏ ଫଳ ପାଦପୁ ଉଜୁଡ଼ି,

ଗଛ ଥାଏ ବୋଲି ସିନା ଫଳେ ପୁନର୍ବାର ।

କିପାଁ ହେବେ ଅପବିତ୍ରା ଚୌହାନ-ଚନ୍ଦ୍ରମା

ଯବନଦର୍ଶନ ମାତ୍ରେ, ହୁଏ କି ଅପୂତା

 

ପାତକୀ ଦର୍ଶନେ ପୁଣ୍ୟ ଦେବତା ପ୍ରତିମା ?

ବରଞ୍ଚ ପାତକୀ ଲଭେ ପାପୁ ପରିତ୍ରାଣ,

ଖ୍ୟାତ ହୁଏ ଶତଗୁଣେ ଦେବତାମହିମା ।

ନୁହେଁ ଯା ସୁସାଧ୍ୟ ବହୁ ନରବଳ ଦାନେ,

 

ବିନା ରକ୍ତପାତେ ତାହା କରିବା ସାଧନ

ନୁହେଁ କି ପୌରୁଷସୂଚି ବାହାଣିଆପଣ ? ୩

ଆକ୍ରମିବେ ବାରମ୍ବାର ଯବନେ ଚିତୋର

ଏହା ସ୍ୱତଃସିଦ୍ଧ କଥା, ଦୁଗ୍‌ଧପାତ୍ର ଦେଖି

୩- ବହୁଜ୍ଞ ଶବ୍ଦଳ ।

 

ରହିପାରେ ମାର୍ଜ୍ଜାର କି କେତେବେଳେ ସ୍ଥିର ?

ପଦ୍ମିନୀଙ୍କ ଛାୟା ଦେଖି ଯାଉ ଦୁଷ୍ଟ ଫେରି,

ପୁନଶ୍ଚ ଆସିବାଯାଏଁ ଏହି ଅବସରେ

କରି ନେଇ ଦେବ ଯୁଦ୍ଧ ଅଭାବ ମୋଚନ;

 

ଅଗ୍ରେ ବର୍ତ୍ତମାନ ରକ୍ଷା, ଭାବୀ ଚିନ୍ତା ପରେ ।’’

ଏହି ରୁପେ କିଛିକ୍ଷଣ ବାଦ ପ୍ରତିବାଦେ

ସ୍ଥିର ହେଲା ପଦ୍ମିନୀଙ୍କ ରୂପ ପ୍ରଦର୍ଶନ

ଦର୍ପଣର ଅନ୍ତଗଳୁ, ତହୁଁ ଭୀମସିଂହ

 

ଲେଖ ପ୍ରେରି ନିବେଦନ୍ତେ ଯବନସମ୍ରାଟେ

ସ୍ୱସମ୍ମତି, ଲଭିଲା ସେ ବିପୁଳ ଆହ୍ଲାଦ,

ମଣିଲେ ସ୍ୱର୍ଗୀୟ ସୁଖ ସ୍ୱୀୟ କରଗତ ।

ନ ଦେଖୁଣୁ ନିଜେ ଦୁଷ୍ଟ ପଦ୍ମିନୀଙ୍କ ରୂପ

 

ମନକୁ ପେଷିଲା ଆଗେ ଆସିବାକୁ ଦେଖି,

ଦୁର୍ବାର ଦିଦୃଷା ଲୋଭ ଆବେଗ ପ୍ରେରଣେ ।

ବୀରଜାତି ରାଜପୁତେ, ସଦା ସତ୍ୟସେବୀ,

ନ କରନ୍ତି ଉଲ୍ଲଙ୍ଘନ କଥିତ ବଚନ

 

ପ୍ରାଣାନ୍ତରେ କେବେ, ହେଲେ ସୁଦ୍ଧା ଆତତାୟୀ

ଅତିଥି ତାଙ୍କର, ପୁଜ୍ୟ ସମ୍ମାନଭାଜନ,

ନୁହନ୍ତି ସେ ଅବିଶ୍ୱାସୀ କିମ୍ବା ପ୍ରବଞ୍ଚକ,

ଥିଲା ଯେଣୁ ଏବିଶ୍ୱାସ ସଦା ବଦ୍ଧମୂଳ

 

ଆଲ୍ଲାହୁଦେ, ତେଣୁ ଖଳ ନିଃଶଙ୍କ ମନରେ

କତିପୟ ରକ୍ଷୀ ମାତ୍ର ଘେନିଣ ସଙ୍ଗରେ

ଉପସ୍ଥିତ ଯଥାକାଳେ ଚିତୋର ଶିବରେ,

ଅଗଣନ ଦୁର୍ଦ୍ଧକାଳେ ସୌନିକବେଷ୍ଟିତ ।

 

ରାଣା ଭୀମସିଂହ ସହ ରାଜପୁତ ବୀରେ,

( ଚିର-ଶିଷ୍ଟାଚାରବ୍ରତୀ, ଅଭ୍ୟାଗତ-ପ୍ରାଣ )

କରି ତାକୁ ସମ୍ବର୍ଦ୍ଧନା ବସାଇଣ ନେଇ

ମଣିଖଚୀ ଭଦ୍ରାସନେ, ବସିଲେ ସକଳେ

 

ଅଭିମୁଖେ ପାର୍ଶ୍ୱଭାଗେ ଯଥାଯୋଗ୍ୟ ସ୍ଥାନେ ।

ଏଥୁଅନ୍ତେ କିଛିକ୍ଷଣ ସମ୍ଭାଷଣ ପରେ

ଘେନି ସଙ୍ଗେ ରାଣା କ୍ରୁର ଯବନସମ୍ରାଟେ

ଗମିଲେ ଅଦୁରବବର୍ତ୍ତୀ ପଟ୍ଟଗୃହ ପାଶେ,

 

ଅବସ୍ଥିତ ଯହିଁ ଦେବୀ ଶୋଭାରାଜ୍ୟେଶ୍ୱରୀ

ସାକ୍ଷାତ ପଦ୍ମିନୀରୂପା ସୁନ୍ଦରୀ ପଦ୍ମିନୀ ।

ଉତ୍ତୋଳନ୍ତେ ରାଣା ଚାରୁ ଚିତ୍ର ଯବନିକା,

ଦିଶିଲା ପଦ୍ମିନୀମୂର୍ତ୍ତି ଦର୍ପଣାନ୍ତରାଳୁ,

 

ଘୋର ଝନଘଟାମୁକ୍ତ କାବ୍ୟତାରା ଯଥା ।

ଭେଦି ତାଙ୍କ ଅପରୁପ ରମ୍ୟ ରୁପପ୍ରଭା

ବିଶାଳ ଦର୍ପଣବକ୍ଷ ଦିଶେ ଦାଉଦାଉ,

ଉପବିଷ୍ଟ ଶବଳିତ ଖରଡ଼ ଆସନେ,

 

ଇନ୍ଦ୍ରଧନୁ ପୃଷ୍ଠେ କି ସେ ସ୍ଥିର ସୌଦାମିନୀ ।

ପ୍ରଥମେ ମଣିଲା ଆଲ୍ଲା କନକପ୍ରତିମା,

ମାତ୍ର ସତୀ ନେତ୍ରୋନ୍ମେଷ ଖଣ୍ଡିଲା ସେ ଭ୍ରମ,

ସ୍ୱଗତେ ଭାବିଲା ଦୁଷ୍ଟ, ଅହୋ କି ଅଦ୍ଭୁତ !

 

ଶୋଭାର ପିତୁଳୀ ଗଢ଼ା ଗୋଟିଏ ଚାଉଳେ,

ଏହା ଯୋଗେ ଧରେ ମହୀ ବସୁମତୀ ନାମ;

ଦେଖିଛି ଦେହକେ ମୁହିଁ ଯେତେ ରୁପବତୀ,

ନ ହେବେ ସେ ଏ ବାଜାର ଛଡ଼ାଫୁଲ ସରି ।

 

ଏଭଳି ରମଣୀରତ୍ନ ଅଙ୍କଲକ୍ଷ୍ମୀ ଯାର,

ସେହି ଏକା ଭାଗ୍ୟଧର ନିଶ୍ଚୟ ସଂସାରେ,

ଭାଳୁ ଭାଳୁ ଏହା ହେଲା କୁଭାବ ଉଦ୍ରେକ,

ବଳବତୀ ଲିପ୍‌ସା ଜାତ ବଦନ ଦର୍ଶନେ,

 

ଜଳିଲା ଲାଳସାନକ ଖରତର ବେଗେ,

କହିଲା ପ୍ରଚ୍ଛନ୍ନେ ହୁଦ ଊର୍ଦ୍ଧ୍ୱକୁ ନ ଫୁଟି;

ଯଥା ତ୍ରୋଟାନଳ ଦହେ ଭିତରେ ଭିତରେ,

କିନ୍ତୁ ପାପୀ ଆଚ୍ଛାଦିଣ ସେହି ଅନ୍ତର୍ଦାହେ

 

ଗୁଢ଼ କୁଟ-ଆବରଣେ, କହିଲା ସମ୍ବୋଧି

ରାଣା ଭୀମସିଂହେ, ‘‘ବନ୍ଧୋ, ଅତୁଳ ସମ୍ମାନେ

ତବ ହେଲି ଆପ୍ୟାୟିତ, ମାତ୍ର ଅପରାଧ

କ୍ଷମିବ ସ୍ୱଗୁଣେ, ମୋର ଏତିକି ପ୍ରାର୍ଥନା,

 

ପତିବ୍ରତା ପଦ୍ମିନୀଙ୍କ ତୀବ୍ର ଅପମାନେ

ଅର୍ପିଅଛି ତବ ମନେ କଷ୍ଟ ସୀମାତୀତ,

ହେଲେହେଁ ଅକ୍ଷମଣୀୟ ସେ ଔଦ୍ଧତ୍ୟ ମୋର,

ସ୍ୱକୀୟ ଔଦାର୍ଯେ୍ୟ ତାହା କରିବ ମାର୍ଜ୍ଜନା ।

 

ସ୍ୱକୃତ ଦୁଷ୍କୃତି ପାଇଁ ଅନୁତପ୍ତ ମୁହିଁ,

ଏ ପାପର ପ୍ରାୟଶ୍ଚିତ୍ତ ଅନୁତାପ ସିନା,

ଦେଉଛି ବିଦାୟ ଏବେ, ରଖିଥିବ ମନେ,

ରହିଲା ସୌହାର୍ଦ୍ଦ୍ୟ ତବ, ହୃଦୟେ ଅଙ୍କିତ

 

ଆଜୀବନ, ନାହିଁ ଆନ ପ୍ରତିଦାନ ତାର

ଆତ୍ମସମର୍ପଣ ବିନା, ମଣିବ ଆଜହୁଁ

ମୋହର ହସ୍ତିନାପୁରେ ନିଜ ରାଜ୍ୟ ସମ ।’’

ଏହା ଭାଷି ପ୍ରତାରକ ଉଠିଣ ଆସନ୍ତୁ,

 

ଗମିଲା ସଧୀରେ ସ୍ୱୀୟ ଶିବିରାଭିମୁଖେ ।

ସଙ୍ଗେ ସଙ୍ଗେ ଗଲେ ରାଣା କହି ନାନାକଥା

ଦେବାକୁ ବାଟେଇ, ଦୁଗ ପାଦଦେଶଯାଏଁ ।

ଘଟିଲାକ ତହିଁ ଅହୋ ଯେବଣ ଘଟନା,

 

ଭୟାବହ, ସ୍ମରଣେ ତା’ ଟାଙ୍କୁରଇ ଲୋମ,

ଅତର୍କିତେ ବାହାରିଣ ଯବନ ବାହିନୀ

ଗୁପ୍ତସ୍ଥାନୁଁ, କଲେ ଖରେ ବନ୍ଦୀ ଭୀମସିଂହେ ।

ସେହି ମୁହୂର୍ତ୍ତରେ ପୁଣି ହେଲା ପ୍ରଚାରିତ

 

ଯବନପତିର ଆଜ୍ଞା,- କୁଳିଶ-କଠେର-

ନ ପାଇଲେ ପଦ୍ମିନୀଙ୍କ ହେବେ ନାହିଁ ରାଣା

କାରାମୁକ୍ତ କେବେ, ଏହା ଅବ୍ୟର୍ଥ ଆଦେଶ ।

ଆକସ୍ମିକ ଦୁଃଖବାର୍ତ୍ତା ଶୁଣି ନାଗରିକେ

 

ଗଣିଲେ ପ୍ରମାଦ ଘୋର, ଦିଶିଲା ମଳିନ

ଦୁର୍ଗବାସୀ ବୀରମୁଖ, ଆବରିଲେ ଘନ

ଦିନନାଥେ ଦିନ ଯଥା । ସେତୁଭଙ୍ଗ ପରେ

ଛାଡ଼ିଗଲେ କଳରାଶି ଆଶ୍ରିତ କମଳେ,

 

ହୁଏ ତାର ଯେଉଁ ଦଶା, ସେହି ଦଶା ମଣି

ସର୍ବେ ହେଲେ ମଗ୍ନ ଘୋର ନିରୁତ୍ସାହ-ନୀରେ ।

ହେଲା ହୃଦ ଶୁନ୍ୟାୟିତ, ପ୍ରାଣ ଭାରଭୁତ,

ହେରି କଳଙ୍କର ରେଖା ଜାତୀୟ ଗୌରବ-

 

ଗ୍ରନ୍ଥେ । ଚିରାଭ୍ୟସ୍ତ ସିନା ରାଜପୁତ ଜାତି

ଜନ୍ମଭୂମି ରକ୍ଷାଅର୍ଥେ ପ୍ରାଣବିସର୍ଜନେ;

ଦୁଯେ ତହିଁ ନୃପତିଙ୍କ କାରାବାସ ହେଲା

ଅନଳେ ଆହୁତି, ମାତ୍ର ସେ ରୁଦ୍ର ଅନଳେ

 

ନ ପାରି ଅରିଙ୍କୁ ଦହି, ଦହିଦେଲେ ନିଜେ;

ପାରଇ କେଶରୀ ବଧି ମତ୍ତ ଦନ୍ତାବଳେ

ଅବହେଳେ; ମାତ୍ର କାଳ ପ୍ରତିକୂଳତାରେ

ହରାଏ ସେ ପ୍ରାଣ ହେୟ ବରଟ ଦଂଶନେ,

 

ଜାଣି ଏହା. ନ ଜାଣିଣ ତାଙ୍କ ବୀରହିଆ

କ୍ରୋଧ ଧୈର୍ଯ୍ୟ ମଧ୍ୟେ ହେଲା ଏ ପାଖ ସେ ପାଖ ।

ବିପଦେ ଅଟଳ ସତ୍ୟ କ୍ଷତ୍ରବୀର ହୃଦ,

ମାତ୍ର କଲା ବ୍ୟସ୍ତ ତାକୁ ଜାତି-ଅପମାନ,

 

ସହିଲେହେଁ ଝଡ଼ବୃଷ୍ଟି ଅକାତରେ ଗିରି,

ନ ହୁଏ କି ଭଲା ସେହୁ ସିକ୍ତ ବର୍ଷାଜଳେ ?

ସମ୍ଭାଳି ନ ପାରି କେହି ତୀବ୍ର ଅନ୍ତର୍ଜ୍ୱାଳା

ଇଚ୍ଛନ୍ତେ ମରଣ, କହିଲା ବିବେକ ଡାକି,

 

ହୃଦ ଅନ୍ତସ୍ତଳ ମଧ୍ୟୁ ନୀରବ ଭାଷାରେ-

‘‘ଲଭିବାକୁ ଚାହୁଁ ଯଦି ମରଣରେ ସୁଖ,

ମର ରଣ ରଚି ଶତ୍ରୁ ସହ, ତାହା ସିନା

ବୀରର ମରଣ, ନତୁ ଲତର ସମାନ

 

ମରଣରେ କେଉଁ ଫଳ, କେଉଁ ଶୁଭ ଅବା ?

ସୁଲଭ ବିପଦ ସଦା ଶରୀର-ଶରୀରେ,

ମାତ୍ର ସେ ବିପଦେ ଯେହୁ ନୋହି ବିଚଳିତ

ଅନ୍ୱେଷେ ଉଦ୍ଧାର-ଚାହା,- ଧୀରସ୍ଥିରଭାବେ,

 

ଲଭଇ ସେ ପ୍ରଶଂସିତ ପୁରୁଷ ଅଭିଧା,

ସୁବର୍ଣ୍ଣ ସୋପାନ ତାହା ସାଧନା ସିଦ୍ଧିର ।’’

କି କୌଶଳେ ଭୀମସିଂହ ଲଭିବେ ଉଦ୍ଧାର,

କି ସାହସେ ଅବା ଏହି ଜଘନ୍ୟ ପ୍ରସ୍ତାବ

 

ନିବେଦିବ କିଏ ଯାଇ ପଦ୍ମିନୀ ସମୀପେ,

ଭାବି ଏହା, ନ ପାରିଣ ସ୍ଥିର କରି କିଛି,

ବସିଲେ ସକଳେ ହୋଇ ଚିନ୍ତା-ନିମଗନ ।

ଜନଶ୍ରୂତି-ସୁତ୍ରେ ଏଣେ ଏହି ଆକସ୍ମିକ

 

ଦାରୁଣ ବିପଦବାର୍ତ୍ତା ପ୍ରବେଶନ୍ତେ ଯାଇ

ପଦ୍ମିନୀ କର୍ଣ୍ଣରେ, ( ଅହୋ ମର୍ମନ୍ତୁଦ ଅତି )

କରି ଦେଲା ଭେଳା ତାଙ୍କୁ ଅଦ୍ଭୁତ ବିସ୍ମୟେ,

ଜାଣି ବ୍ୟାଧତାଲ-ବଦ୍ଧ କେଶରୀକୁ ଯଥା

 

କେଶରିଣୀ, କିମ୍ବା ଯଥା ଉଷାଦୁତୀମୁଖଁ

ବୁର୍ଦ୍ଧିନବାରତା ଶୁଣି ସରୋଜ-ସୁନ୍ଦରୀ

ହୁଏ ମର୍ମାହତ, ତଥା ହେଲେକ ପଦ୍ମିନୀ,

ବିଷାଦର ମୁଦ୍ରା ହେଲା ବଦନେ ମୁଦ୍ରିତ ।

 

ଭାବିଲେ ଏସନ ଦେବୀ, ‘‘ଅମଙ୍ଗଳମୟ

ଆଜ ଦିନ, ଶୁଣାଇଲା କଠୋର ସମ୍ବାଦ !

ଶ୍ରବଣ ପୂର୍ବରୁ ଏହା ଘଟିଥାନ୍ତା ଯଦି

ମୃତ୍ୟୁ ମୋର, ଲଭିଥାନ୍ତି ପରମ ନିସ୍ତାର,

 

ଘଟାଇଲା ଏ ପ୍ରମାଦ ମୋର ରୂପ ଏକା ।

ସ୍ୱାଧ୍ୱୀ ରମଣୀର ରୂପ ନୁହଇ ସମ୍ପଦ,

ପ୍ରଚ୍ଛନ୍ନ ବିପଦ ତାହା, ଏହି ରୂପ ସିନା

ଛଡ଼ାଇ ପବିତ୍ର ବ୍ରତ-ସ୍ୱାମି-ପଦସେବା

 

ଜନକତେମାଙ୍କୁ ପୂର୍ବେ ( ସତୀ-ରାଜ୍ୟରାଣୀ )

ଦେଇଥିଲା ଠାବ ନେଇ ସାଗରଗରଭେ ।

ହୁଅନ୍ତା ଯଦ୍ୟପି ଦେଇ ଅପରକୁ ରୂପ,

ଆନନ୍ଦେ ଦିଅନ୍ତି ମୁହିଁ ସମର୍ପି ତା ପଦେ,

 

ରୂପଯୋଗେ ଭାଗ୍ୟବତୀ ବୋଲାନ୍ତି ଲଳନା,

ମାତ୍ର ମୋ ବିଚାରେ ସେହି ଗୌରବପଦବୀ,

ଲାଞ୍ଛନାର ପ୍ରତିଧ୍ୱନି, ବିଭୀଷିକାମୟୀ ।

ବର୍ଣ୍ଣିଛନ୍ତି ପୁଣି କବି ରତ୍ନରୂପେ ରୂପେ,

 

କି ଆଶ୍ଚର୍ଯ୍ୟ, ଯେହୁ ଏଡ଼େ ଅନର୍ଥର ହେତୁ,

ରତ୍ନ ଯଦି ତାହା, ତେବେ ଭସ୍ମ କିଏ ଆଉ ?

ଦେଖି ମୋର ଶୋଭାଦତ୍ତ ଏ ମହାବିପଦ

ଇଚ୍ଛିବ ସୁନ୍ଦରପଣ କେବଣ ଅଭାଗୀ ?

 

ନାହିଁ ଧର୍ମଭୟ ତିଳେ ମୁଢ଼ ଯବନର,

ମହାଦମ୍ଭେ ଭୁଲିଛି ସେ ତାହା, ସବୁ ହୁଡ଼ି

ଧରିଅଛି ପାପମତି ମଦେ ଖାଲି ଦୃଢ଼େ,

ଏଡ଼େ ମଧୁର କି ସତେ ମଦ, ପର ନାରୀ-

 

ପର ରାଜ୍ୟ ପ୍ରତି ଯାର ଲାଳସା ଦୁର୍ବାର,

ତାହା ଭାଗ୍ୟେ ରାଜାସନ ସିନା ବିଧାତାର

ଅପାତ୍ରରେ ମହାଦାନ, ତା ରାଜମୁକୁଟ,

ଅଟେ ପାପ ଅତ୍ୟାଚାର କଳଙ୍କର ବୋଝ ।

 

ଶତ ନରକର ବହ୍ନି କୁଳେ ଯା ଅନ୍ତରେ,

ଲୋକପିତା ରାଜପଦ ଶୋଭେ କି ତାହାକୁ ?

ମଦାନ୍ଧ ପିଶାଚ ସେହୁ, ନରକୁଳ-କାଳି ।

ଭାଗ୍ୟଭୋଳେ ଗୁରୁ ଗର୍ବ ବହିଛି ମତ୍ସରୀ,

 

ମାତ୍ର ଜାଣି ନାହିଁ ପରା ଭାଗ୍ୟ-କଞ୍ଚି ତାର

ନ୍ୟସ୍ତ ପରହସ୍ତେ, ଅଟେ ଭଙ୍ଗୁର ତା ପୁଣି ।

ଏହିପରି କେତେ ଦର୍ପୀ,-କୁମ୍ଭୀପାକକୀଟ,

ଉଡ଼ାଇ ବିଜୟବାନା ସରା ମଣି ଧରା,

 

ମାରୁଥିଲେ ମହାଚିଲା, ମାତ୍ର ଦୁଇ ଦିନେ

ପଡ଼ିଣ ନିୟତିଦାଢ଼େ ଉଡ଼ିଗଲେ କାହିଁ,

ତଥା ମିଶିଯିବ ଆଲ୍ଲା ଧୂଳିରେ ଦଣ୍ଡକେ ।’’

ମହାଧୈର୍ଯ୍ୟଶୀଳା ସତୀ ସିଂହଳ-କୁମାରୀ,

 

ଭାଲିଲେ ଏପରି ସତ୍ୟ, ମାତ୍ର ହେଲେ ନାହିଁ

ନାରୀ-ସ୍ୱଭାବ-ସୁଲଭ ଶୋକଭୟାକୁଳା,

କାଳୋଚିତ ଧୈର୍ଯ୍ୟ ତାଙ୍କୁ ରହିଲା ଆବରି,

ଆବରିଛି ଯଥା ବିରବୀଚି-ବିକ୍ଷୋଭିତ

 

ସିନ୍ଧୁ ତାଙ୍କ ଜନ୍ମଭୂମି ସୁବର୍ଣ୍ଣ ସିଂହତେ ।

ବାନ୍ଧିଣ ସାହସ ଦେବୀ ଚିନ୍ତିଲେ ଉପାୟ,-

ପତିକାରାମୁକ୍ତି ଆତ୍ମ-ସତୀତ୍ୱ ରକ୍ଷାର,

ଗୁପ୍ତ ଭାବେ ଅନ୍ୟକାଳେ ଥିଲେହେଁ ଚପଳା

 

ମାତ୍ର ନ କରେ କି ଦୀପ୍ତି ପ୍ରାବୃଟେ ପ୍ରକାଶ ?

ଭାବିଲେ ସ୍ୱଗତେ ଏହା,- ‘‘ବିସ୍ତାରିଣ ଖତ

ପ୍ରବଞ୍ଚନା-ଜାଲ, କଲା ଯଥା ବନ୍ଦୀ ଭୂପେ,

ପ୍ରତାରି ତାହାକୁ ତଥା କରିବି ଉଦ୍ଧାର

 

ବିତୋର-ନୃବରେ, ଏହା ପ୍ରତିଜ୍ଞା ମୋହର;

ପତି ଏକା ରମଣୀର ଉପାସ୍ୟ ଦେବତା,

ପତି ତୀର୍ଥ, ପତି ଗୁରୁ, ପ୍ରାଣର ଦୋସର,

ପତି ଛାୟାପ୍ରଦ ତରୁ ଭବ-ମରୁସ୍ଥଳେ,

 

ଯାତନା-ଅଶାନ୍ତି-ରୌଦ୍ରେ ପ୍ରତପ୍ତ ସତତ ।

ଅବଳା ଜୀବନରାହା ବିପଦ-ପିଚ୍ଛିଳ,-

ଅଜ୍ଞାନ ତିମିରମୟ, ପଡ଼ି ସିନା ତହିଁ

ପଥଦର୍ଶୀ ଊର୍ଦ୍ଧ୍ୱଶିଖ ଉଜ୍ଜ୍ୱଳ ପ୍ରଦୀପ ।

 

ପତି ବିନା ନାହିଁ ଗତି ରମଣୀକୁଳର,

ଶରତ ବ୍ୟତୀତ ଆନ କିଏ ବା ସକ୍ଷମ

ଶୋଭାବତୀ ସୁକୁମାରୀ ଶେଫାଳୀ ବିକାଶେ ?

ଅଗ୍ରାମ୍ୟ ଭୂଷଣ ସିନା ରମଣୀର ପତି ।

 

ସତୀତ୍ୱ ଅଦେୟ ରତ୍ନ ପତିବ୍ରତାଙ୍କର

ପ୍ରାଣାପେକ୍ଷା ପ୍ରିୟତର, ଏକା ପତିପାଇଁ

ଅର୍ପଣେ ତା ସୁଦ୍ଧା ମୁହିଁ ଯବନେ ସମ୍ମତ ।

ଆଉ କାର ଆସ୍ପର୍ଦ୍ଧା ବା ଏଡ଼େ, ହରିବ ସେ

 

ପାତିବ୍ରତ୍ୟେ ମୋର, ଦୀପ୍ତ ଯଜ୍ଞାନକ ସମ;

ଉତ୍‌ଫଣା ନାଗୁଣୀ ଶିରୁ କାଢ଼ିନେବ ମଣି

ଏଭଳି ସାହସୀ କିଏ ?- ମୃତ୍ୟୁ ଭୟହୀନ,

ବୀରକନ୍ୟା ବୀରପତ୍ନୀ ମୁହିଁ, ଜନ୍ମ ମୋର

 

ବୀରବଂଶେ, ନ ପାରିଲେ କୌଶଳେ ଉଦ୍ଧରି

ସ୍ୱାମୀଙ୍କୁ ମୋହର, ପଛେ ଦେଖାଇବି ବଳ,

ଆସ୍ଫାଳ ଉନ୍ମୁକ୍ତ ଅସି ତୀକ୍ଷ୍‌ଣ କ୍ଷୁରଧାର,

ବିନାଶିବି ମ୍ଲେଚ୍ଛଚମୁ, କିମ୍ବା ଶତ୍ରୁ ହାତେ

 

ମରି ମୁଁ ଶୋଇବି ସୁଖେ ସମର-ପ୍ରାଙ୍ଗଣେ,

କି ଭୟ ମରଣେ ରଣେ କ୍ଷତ୍ରିୟ-କନ୍ୟାର ?’’

କ୍ଷମାର ଆଧାର ଯଥା ଅଟନ୍ତି ରମଣୀ

କ୍ରୋଧର ଆକର ତଥା, ସୁଲଭ କି ଫୁଲେ

 

ମଧୁ ଖାଲି, ନ ଥାଏ କି ବିଷାକ୍ତ କୀଟାଣୁ ?

ପତିମୁକ୍ତି ପାଇଁ ରାଜ୍ଞୀ ନୁହନ୍ତି କୁଣ୍ଠିତ

କରିବାକୁ ଆତ୍ମଦାନ ଯବନ ସମ୍ରାଟେ,

ଶୁଣି ନାଗରିକେ ଏହି ବିଷଦୃଶ ବାଣୀ

 

ଚକିତ, ବିସ୍ମିତ ହୋଇ ହେଲେ କୁହାକୁହି

ସର୍ବେ,- ‘‘ସତ୍ୟ କି ଏ କଥା, ସତୀଶିରୋମଣି

ପଦ୍ମିନୀ ସୁନ୍ଦରୀ, ଦେବୀ ମହା ଶୁଚିଶୀଳା,

କରିଥାନ୍ତି ଧର୍ମେ ସଦା ଜୀବନ ଜୀବିକା,

 

କେମନ୍ତେ ସମ୍ମତ ହେଲେ ଘୃଣିତ ପ୍ରସ୍ତାବେ ?

ପବିତ୍ର-ବାରିଦ-ବାରି-ପାୟିନୀ ଚାତକୀ

ଇଚ୍ଛେ କି ଆବିଳ ଦୁଷ୍ୟ ପଲ୍ୱକ ସଲିଳେ ?

ରତ ଥାଏ ସଦା ତାଙ୍କ ଯେଉଁ ପୁତ କର

 

ଧନ ବିତରଣେ ପୁଣି ଦେବତା ସେବାରେ,

ପରିଶିବେ ସେ କରେ କି ଯବନେ ଆମିଷ,

ଶୁଦ୍ଧ ଶାଳଗ୍ରାମ ପୁଜା ଯାର ନିତ୍ୟ ବ୍ରତ,

ବାଲିଗରଡ଼ା କି ସେହୁ ଛୁଇଁବ ଭ୍ରମରେ ?

 

ବଡ଼ ଅସମ୍ଭବ ଏହା, ମହାମେଧାବିନୀ

ଚନ୍ଦେଇ-କୁମାରୀ, ଦେବୀ, ଅତି ବିଚକ୍ଷଣା,

ହୁଡ଼ି ସେହୁ ନାରୀଧର୍ମେ, ଦେବେ ଜଳାଞ୍ଜଳି

ପାତିବ୍ରତ୍ୟେ, ଆସୁ ନାହିଁ ମନକୁ କଦାପି,

 

ଅଛି ନିଶ୍ଚେ କିଛି ଗୂଢ଼ ରହସ୍ୟ ଏଥିରେ ।’’

ଏଥୁଅନ୍ତେ ବିଜେ ହୋଇ ସତ୍ୱରେ ପଦ୍ମିନୀ

ନିଭୃତ ନିଳୟ ମଧ୍ୟେ, ଆହ୍ୱାନିଲେ ପାଶେ

ବୀରମଣି ଗୋରା ଆଉ ବାଦଲ ଉଭୟେ,

 

ବିଶ୍ୱାସିନୀ ପରିଚାରୀ ବହୁ କ୍ଷଣଯାଏ ।

କି ଉପାୟେ ଭୀମସିଂହ ଲଭିବେ ଉଦ୍ଧାର

କି ଉପାୟେ ପାତିବ୍ରତ୍ୟେ ରଖିଣ ଅକ୍ଷତ,

ବାହୁଡ଼ିବେ ନିଜେ ଦେବୀ ଯବନ-ଶିବିରୁ

 

ନିରାପଦେ, ଲାଗିଲା ଏ ସଂଗୁପ୍ତ ମନ୍ତ୍ରଣା;

ହୁଅନ୍ତେ କର୍ତ୍ତବ୍ୟ ସ୍ଥିର ହେଲାକ ପ୍ରେରିତ

ଯବନସମ୍ରାଟ କତି ଏ ମର୍ମେ ସମ୍ବାଦ,-

‘‘ଲଭିଛନ୍ତି ରାଜବଂଶେ ଜନମ ପଦ୍ମିନୀ,

 

ଆବର ସମ୍ରାଜ୍ଞୀ ସେହୁ, ଉଚିତ ତାଙ୍କର

ସସମ୍ମାନେ ପଦାର୍ପଣ ସମ୍ରାଟ ଶିବିରେ,

ଗମିବେ ଗହଣେ ତାଙ୍କ ଜୀବନ-ସଙ୍ଗିନୀ

ଚିରସହୁଚରୀକୁଳ, ପୁଣି କତିପୟ

 

ରାଜପୁତ ବଂଶୋଦ୍ଭବା ସମ୍ଭ୍ରାନ୍ତ ମହିଳା,

( ସ୍ନେହ-ସୁତ୍ରେ ଆବଦ୍ଧ ଯେ ପଦ୍ମିନୀଙ୍କ ସହ )

ଘେନିଣ ବିଦାୟ ପୁଣି ପଦ୍ମିନୀ ଛାମୁରୁ

ଆସିବେ ବାହୁଡ଼ି ସର୍ବେ ଚିତୋର ନଗରେ,

 

ଗତିପଥେ ଅତ୍ୟାଚାର ନ ହେବ ଯେପରି

ତାଙ୍କ ପ୍ରତି, ନ ଘଟିବ ତାହାଙ୍କ ସମ୍ମାନେ

ତିଳେ ମାତ୍ର ତ୍ରୁଟି, ଲଙ୍ଘି ମର୍ଯ୍ୟାଦାର ସୀମା

ନ ପାରିବେ କେହି ଯେହ୍ନେ ଛୁଇଁ ତାଙ୍କ ପାଶ,

 

ବିହିତ ବ୍ୟବସ୍ଥା ଏଥି ହେବ କରିବାକୁ ।

ଉଠାଇଣ ଅବରୋଧ ଫେରାଇ ବାହିନୀ

ସ୍ଥାପିବାକୁ ହେବ ନେଇ ଦୁରେ ସୈନ୍ୟାଶ୍ରୟ,

ଯବନପତିର ଏହି ସତ୍ୟ ଅଙ୍ଗୀକାର,

 

ଜାଣିଲେ ପଦି ନୀ ଯିବେ ତାହାଙ୍କ ସକାଶେ ।’’

ରାଜପୁତ ବୁତମୁଖୁଁ ଶୁଣି ଏ ବାରତା

ଦୋଳି ହେଲା ଆଲ୍ଲହୃଦ ଆନନ୍ଦ-ଦୋଳିରେ

ଅନିର୍ବଚନୀୟ ବେଗେ, ଲଭିଲା ସେ ତହିଁ

 

ଯେ ସନ୍ତୋଷ, ଅକଳ୍ପିତପୂର୍ବ, ଜିଣିଥିଲେ

ସପ୍ତଦ୍ୱୀପା ସସାଗରା ଧରା ବାହୁବଳେ

ନ ହୁଅନ୍ତା କେତେବେଳେ ସଂତୃପ୍ତ ଏ ଭଳି ।

ଘୋର ଘନଘଟାଚ୍ଛନ୍ନ ଅନ୍ଧାର ନିଶୀଥେ

 

ଦେଖି ଅଗ୍ରେ କ୍ଷଣିକାର କ୍ଷଣ କ୍ଷଣ ପ୍ରଭା

ପଥଭ୍ରାନ୍ତ ପାନ୍ଥ ଯଥା-ନିରାଶା-ପୀଡ଼ିତ,

ହୁଏ ଆଶାନ୍ୱିତ, କଥା ହେଲା ଯବନେଶ ।

ଯେତେ ସେ ଢାଳିଲା ଜଳ ଆଶା-ତରୁମୂଳେ,

 

ତେତିକି ବିସ୍ତାରି ଶାଖାପ୍ରଶାଖା ପଲ୍ଲବ

ଆଚ୍ଛାଦିଲା ହୃଦ ସେହୁ; ନିବିଡ଼ ବେଷ୍ଟନେ;

ଅବାର୍ଯ୍ୟ ଉତ୍କଣ୍ଠାବଶେ ହୋଇଣ ବିହ୍ୱଳ

ମଣିଲା ସେ କରଗତ ସ୍ୱର୍ଗର ନିଶୁଣୀ

 

ଦୁର କଲା ସଙ୍କଳ୍ପରେ ସୁଖ-ସ୍ୱର୍ଗ କେତେ;

ନ ଜନ୍ମେ ଭୋଗରେ ସୁଖ, ଜନ୍ମେ ଭୋଗାଶାରେ,

ପର୍ବଦିନ ପୂର୍ବୁ, ସିନା ମିଳେ ପର୍ବସୁଖ ।

ଅସମ୍ଭାଳେ ଦୁଷ୍ଟମନେ ବଢ଼ିଲା ଆବେଗ,

 

ବଢ଼େ ଯଥା ମେଘାସନ-ଅଚଳ-ଦୁହିତା

ସ୍ୱଚ୍ଛୋଦା ସାଳନ୍ଦୀ ନଦୀ ପ୍ରାବୃଟ ସମୟେ,

କ୍ରମବିବର୍ଦ୍ଧିତ ସେହି ଆବେଗ ଆବେଶେ,

ଭବିଷ୍ୟତେ ମଣିଲା ସେ ବର୍ତ୍ତମାନ ପରି ।

 

ଆଶାୟି-ମାନସ ଭ୍ରମି ଆଶା-କାନନରେ

ତୋଳି ତହୁଁ ନିରନ୍ତର ସଙ୍କଳ୍ପ-ସୁମନ,

ରଚି ସଙ୍କଳ୍ପରେ ତହିଁ ମନୋମତ ହାର

ଲମ୍ବାଏ ବକ୍ଷରେ ସିନା ସେହି ସଙ୍କଳ୍ପରେ ।

 

ନ ଲାଗିଲା ମନ କାହିଁ, ବଢ଼ି କ୍ରମେ କ୍ରମେ

ଉତ୍କଣ୍ଠାର ଆତୁରତା, ବସାଇଲା ନେଇ

ଯବନେଶେ ସଙ୍କଳ୍ପର ଶୂନ୍ୟ ସିଂହାସନେ;

ତୋଳିଲା ସେ ଅନ୍ତରୀକ୍ଷେ କେତେ ଅଟ୍ଟାଳିକା,

 

ଭୁଞ୍ଜିଲା ସଙ୍କଳ୍ପ-ଲଡ଼ୁ, ମଣି ସଙ୍କଳ୍ପକୁ

ସତ୍ୟକଳ୍ପ । ଗଢ଼ିନେଇ ପଦ୍ମିନୀ ମୁରତି

ସଙ୍କଳ୍ପରେ, ପ୍ରେମ, ମାନ, ବିରହ, ମିଳନ,

କ୍ରୀଡ଼ାଦି ଦାମ୍ପତ୍ୟ ସୁଖ କଲା ଅନୁଭବ ।

 

କାମୁକର ଚିତ୍ତବୃତ୍ତି ପାଇଲେ ପ୍ରଶ୍ରୟ,

ବହେ ଶତମୁଖୀ ହୋଇ, ଅସମ୍ଭାଳ ବେଗେ;

ଦେଖି ପୂର୍ବାଭାସ ଦୁଷ୍ଟ ସ୍ୱାଭୀଷ୍ଟ ସିଦ୍ଧିର

ମଣିଲା ନିଜକୁ ଧନ୍ୟ, ଭାଳିଲା ଏସନ-

 

ଏତେ ଦିନେ ଆଗମନ ହେଲା ମୋ ସାର୍ଥକ,

ଲଙ୍ଘି ଦୁରାରୋହ ଗିରି ଦୁର୍ଗମ କାନ୍ତାର

ଗତିପଥେ, ଲଭିଥିଲି ଯେ ଦାରୁଣ କ୍ଲେଶ,

ଭୁଲିଗଲା ଏବେ ତାହା ଦୁଃସ୍ୱପ୍ନ ପରାଏ ।

 

ରୁପସୀ କେତକୀ ଫୁଲେ ତୋଳିବା ସମୟେ

ହେଲେ କଣ୍ଟକ ସଂବିଦ୍ଧ କରେ, ମଣଇ କି

ବ୍ୟଥା ତାକୁ ଭ୍ରମେ ସୁଦ୍ଧା କେତକୀରସିକ ?

ତୁଚ୍ଛ ରାଜ୍ୟଧନ ମୂଲ୍ୟ ପଦ୍ମିନୀ ନିକଟେ,

 

ଅଭାବେ ଏଭଳି ନାରୀ ଅସମ୍ପୂର୍ଣ୍ଣ ସିନା

କୁବେର ସମ୍ପତ୍ତି, ଧନ୍ୟ ଭାଗ୍ୟଧର ମୁହିଁ ।

ପଦ୍ମିନୀ ପୟରଘଷା ପଥରକୁ ସରି

ନୁହେଁ ରାଜ-ସିଂହାସନ, ଏହା ଭୃତ୍ୟପଦ

 

ବଳେ ବହୁଗୁଣେ ରାଜପଦବୀ ଗୌରବୁଁ ।

ପରରାଷ୍ଟ୍ରବିଜିଗୀକ୍ଷା ବୃତ୍ତି ପରିହରି,

ତେଜି ରାଜ୍ୟ ଅଧିକାର, ଖଟିଥିବି ସଦା

ପଦ୍ମିନୀ ପୟରାର୍ଚ୍ଚନେ, ବ୍ରତ ମୋର ଏହା;

 

ଭ୍ରମିବି ତାହାକୁ ଘେନି କାନନେ ପର୍ବତେ;

ବନଫୁଲେ କିଶଳୟେ ରଚି ଅଳଙ୍କାର,

ମଣ୍ଡି ତହିଁ ଶୋଭା-ଉତ୍ସ-ବରଙ୍ଗ ତାହାର,

ଲଭିବି ପରମାନନ୍ଦ ନିତ୍ୟ ନବଭାବେ,

 

ନିରେଖି ସେ ଗୁରୁଶୋଭା-ନେତ୍ରରସାୟନ,

ମଣିବି ଏ ଚର୍ମନେତ୍ରେ ସାର୍ଥକ ସର୍ବଥା ।

କେତେ ଯେ ଅଙ୍କିଲା ଦୁଷ୍ଟ ଭାବୀ ଜୀବନର

ସୁଖଚିତ୍ର ଏହିପରି କଳ୍ପନା-ତୂଳିରେ,

 

ହେବ ନାହିଁ କଥାରେ ତା ଶେଷ କରି କେବେ ।

କିନ୍ତୁ ପରକ୍ଷଣେ, ହୋଇ ତରଙ୍ଗିତ ତାର

ଅତୃପ୍ତ-ବାସନା-ସ୍ରୋତ-ଆକୁଳ-ଉଚ୍ଛ୍ୱାସ,

ଆଣିଲା ଭସାଇ ତାକୁ ପ୍ରକୃତିନିୟମେ

 

ଜାଗ୍ରତ ସ୍ୱପନରାଜ୍ୟୁଁ ବାସ୍ତବ ରାଜ୍ୟକୁ ।

ମଣେ ସେ ସଂସାରେ ସାର କାମିନୀକାଞ୍ଚନେ,

ସେହି ପାପଲିପ୍‌ସା ତାକୁ କରାଇଲା ଖରେ

ସମ୍ମତ ପୂର୍ବ ପ୍ରସ୍ତାବେ; ହୁକାରି ସେ ତହୁଁ

 

ଶ୍ରେଷ୍ଠ ସେନାଧ୍ୟକ୍ଷେ, କଲା ଆଦେଶ ପ୍ରଦାନ

ଉଠାଇ ଛାଉଣି ନେଇ ସ୍ଥାପିବାକୁ ଦୁରେ ।

ତନ୍ମୃହୁର୍ତ୍ତେ ରାଜ-ଆଜ୍ଞା ହେଲା ପ୍ରଚାରିତ

ଯବନ-ବାହିନୀ ମଧ୍ୟେ, ହୁତାଶନିମୟୀ

 

ଭୀଷଣ ଭାଷାରେ, କଲ୍ୟ ପ୍ରଭାତ ସମୟେ

କରିବେ ପଦ୍ମିନୀ ବିଜେ ସମ୍ରାଟ-ଶିବିରେ

ସେବକୀ-ସଙ୍ଗିନୀଦଳେ, ସର୍ବେ ସାବଧାନ,

ତାଙ୍କ ପ୍ରତି କରିବ ଯେ ଅଶିଷ୍ଟ ବେଭାର,

 

ହେବ ତାର ଶିରଶ୍‌ଛେଦ୍ ନିଶ୍ଚୟ ନିଶ୍ଚୟ,

ଯଥାକାଳେ ଏ ସମ୍ବାଦ ଶୁଣିଲେ ପଦ୍ମିନୀ ।

ବାହୁଡ଼ିଲା ବିଭାବରୀ ଫାଟିଲା ସିନ୍ଦୁର,

ତ୍ରିଦଶ-ସୁନ୍ଦରୀ-ଉଷା ବିମଣ୍ଡିଲା ପ୍ରାଚୀ

 

ତ୍ରିପୁର ସୁଷମାରାଶି ବିଲେପି ଶରୀରେ,

ଢଳ ଢଳ ଚନ୍ଦ୍ରିକାରେ ବିଦଳି ହିଙ୍ଗୁଳ,

ରଚିଛି କି ଧାତା ତନୁ ତାର, କଳବଶେ,

ଚଢ଼ାଇଛି ତହିଁ ପୁଣି ଚନ୍ଦ୍ରିକାର ଝାଳ ।

 

ମନେ ହୁଏ ହେରି ତାର ଭ୍ରାଜିଷ୍ଣୁ ଶୋଣିମା *

ଅନ୍ଧକାର ଆଲୋକର ତୁମୁଳ ସମରେ

ବହୁଛି କି ରଣାଙ୍ଗଣେ କିଲାଳ ସରିତ ?

ହାରି ରଣେ ତମଃ, କର ଅଶ୍ରୁପାତ ଖେଦେ

* ଦୀପ୍ତ ଶୀଳ ରକ୍ତିମା ।

 

ଶିଶିରକଣିକା ଛଳେ, ପଳାଏ ସଭୟେ ।

ଚଳଘନ ଛାୟାପାତେ ଆଲୋକ-ନନ୍ଦିନୀ

ପ୍ରକାଶେ ନବୀନ ଶୋଭା, ପଡ଼ି କିବା ଆହା

ଅଯତ୍ନ-ବିନ୍ୟସ୍ତ ଚାରୁ ଅଳକା ଆବଳୀ

 

ଅମଳିନ ଉଷା ମୁଖେ, ସମୀରହିଲ୍ଲୋଳେ,

ଶତଗୁଣେ ବଢ଼ାଏ ତା’ ଅନିନ୍ଦ୍ୟ ମାଧୁରୀ ।

ବହିଲା ଶୀତଳ ବାୟୁ ସଧୀରେ ସଧୀରେ

ସୁମନ-ସମ୍ପଦଚୋର, ରାବିଲେ ପକ୍ଷିଏ,

 

କୁସୁମସୁରଭିବୋଳା ସେ ସୁସ୍ୱର-ସୁଧା,

ପିଇଲା ଆନନ୍ଦେ ନଭଃ, ପିଇଲା ବସୁଧା ।

ଲୁଚିଥିଲା ଯାଇ ଜ୍ଞାନ-ହୃଦୟେ ଆଲୋକ,

ଶୁଣି ସେ ବିହଗକୁଳ ଅଭୟ ଆହ୍ୱାନ

 

ଆସିଲାକ ଧାଇଁ, ତହୁଁ ପ୍ରକୃତି-ସୁନ୍ଦରୀ,

ଉନ୍ମୋଚି ଅବଗୁଣ୍ଠନ ଦେଖାଇଲେ ମୁଖ ।

ସଜୀବତା ପ୍ରଫୁଲ୍ଲତା ଅର୍ପି ନଳିନୀକି,

ବୁଜିଲା ବିଷାଦ ନେତ୍ର ସରେ କୁମୁଦିନୀ ।

 

ଜମି ତୃଣୋପରି ନିଶି-ପତିତ ତୁଷାର

ଚକ୍ରାକରେ, ରଜତାଭ୍ରମୟ, ହରେ ମତି;

ଘେନିଛି କି ଦେହେ ବହୁ ତୀର୍ଥସ୍ଥଳ ଛାପା

ବୈଷ୍ଣବୀ ପ୍ରକୃତି, ଶୁକ୍ଳ ତିଳକ ମାଟିରେ ।

 

ମଧୁର ପ୍ରଭାତ କାଳେ ସର୍ବେ ମଧୁମୟ-

ଜଳସ୍ଥଳ ନଭସ୍ତଳ ପତ୍ରଫୁଲ ଆଦି,

ମଧୁମୟ ମନୁଷ୍ୟର ମନ, ସ୍ୱଚ୍ଛ, ପୂତ ।

ଏ ମଧୁର କାଳେ ଆଜି ଲାଗିଛି ଚିତୋରେ

 

ଭାବୀ କଠୋର ଦୃଶ୍ୟର ଗୁପ୍ତ ଆୟୋଜନ,

ହେଉଛି ଶିବିକା ବହୁ ସଂସ୍କୃତ ସଜ୍ଜିତ,

ଶତ ଶତ ଛଦ୍ମବେଶୀ ରାଜପୁତବୀରେ

ହେଉଛନ୍ତି ରୁଣ୍ଡ ଆସି, ଶସ୍ତ୍ରାସ୍ତ୍ରପିହିତ,

 

ଚିତୋର ସମ୍ରାଜ୍ଞୀ ସତଃ ପଦ୍ମିନୀ-ଆଦେଶେ ।

ପ୍ରତ୍ୟେକ ଶିବିକା ମଧ୍ୟେ ବସିଲେ ଗୋପନେ

ଜଣେ ଜଣେ ମହାବୀର, ପ୍ରତ୍ୟେକ ଶିବିକା

ବହନେ ନିପୃକ୍ତ ହେଲେ ଛଅ ଜଣ ଶୂର

 

ଗୋପବେଶ ଧରି, ଗୁପ୍ତ ଅସ୍ତ୍ରଶସ୍ତ୍ରଧାରୀ ।

ଅନନ୍ତର ବିଜେ ହୋଇ ଶୋଭାଙ୍ଗୀ ପଦ୍ମିନୀ

ଏକଲିଙ୍ଗ ଦେବାଳୟେ, କଲେ ଜଣାମଣା

ବିନୟ ଗଦ୍‌ଗଦ କଣ୍ଠେ, କୃତାଞ୍ଜଳିପୁଟେ,

 

‘‘ସ୍ୱଭାବେ ଅବଳା ମୁହିଁ ପ୍ରଭୋ, ବଳାଇଛି

ଅସାଧ୍ୟ ସାଧନେ ମନ, ତବ ଭରସାରେ,

ହେଉ ବୃଷ୍ଟି କିଙ୍କରୀର ମନୋରଥ ପଥେ

ତୁମ୍ଭ କୃପା-ସୁଧା, ମାଗେ ଏ ଭିକ୍ଷା ପୟରେ ।’’

 

ସାଧ୍ୱୀର ଏ ପ୍ରାଣମୟୀ ପ୍ରାର୍ଥନା ସମୟେ

ଖସିଲା ଦେବ ବିଗ୍ରହ ଦକ୍ଷିଣାଙ୍ଗୁ ଫୁଲ

ତିନି ଥର, ମଣି ତାକୁ ମଙ୍ଗଳ ଶକୁନ,

ନମସ୍କାରି ଦେବେ, କଲେ ଶିବିକାରୋହଣ;

 

ଅର୍ପି ବୀରବର ଗୋରା ବାଦଲ ଉଭୟେ

ଗୁପ୍ତ ବାହିନୀର ଭାର, ଯାତ୍ରା କଲେ ଦେବୀ ।

ବାହାରିଲା ଦୁର୍ଗ ମଧ୍ୟୁଁ ସାତଶ ଶିବିକା-

ରଙ୍ଗପାଟ ଘଟାଟୋପେ ଢଙ୍କା, ପଂକ୍ତିତ୍ରମେ,

 

ଗିରିବନ ଭେଦି ତାହା କଲାବେଳେ ଗତି,

ଦିଶିଲା ଦୁରରୁ ଶୋଭା କେଡ଼େ ବାହାରିଆ;

ପ୍ରାବୃଟେ ନୀଳିମାମୟ ନବ ଦୁର୍ବାଦଳେ

ଚାଲନ୍ତି କି ପୁଞ୍ଜ ପୁଞ୍ଜ ଇନ୍ଦ୍ରଗୋପ କୀଟ ?

 

ଅବା ବପ୍ରପଙ୍କେ କଳା ସମୁଦ୍ର ବେଳାରେ

କରୁଛନ୍ତି କ୍ରୀଡ଼ା ଗର୍ବ ଲୋହିତ କର୍କଟେ ।

ଶୀତଳ ସୁନ୍ଦର ବାହ୍ୟେ ଆଭାସେ ଶିବିକା

ପ୍ରଦୀପପଞ୍ଜରୀ ପ୍ରାୟ; କିନ୍ତୁ ଅନ୍ତସ୍ତଳେ;

 

ଜଳେ ଉଗ୍ର ଅଗ୍ନିଶିଖା ବିଶ୍ୱଦାହେ କ୍ଷମ ।

ନେତ୍ରପ୍ରୀତିପ୍ରଦ ନିଶ୍ଚେ ପଦ୍ମ ଲଙ୍କାଫଳ

ମାତ୍ର ନ ଥାଏ କି ତହିଁ ପ୍ରଚ୍ଛନ୍ନେ କଟୁତା ?

ଯଥାକାଳେ ଉପସ୍ଥିତ ହୁଅନ୍ତେ ଶିବିକା

 

ଯବନ-ଶିବିରେ, ତହୁଁ ପେଷିଲେ ପଦ୍ମିନୀ

ଆଲ୍ଲା କତି ଏ ସମ୍ବାଦ- ‘‘ଦେଲେ ଅବସର

ଦଣ୍ଡେ ମାତ୍ର, ଯାଇ ମୁହିଁ ବନ୍ଦୀ ସ୍ୱାମୀ ପାଶେ,

ଆସିବି ଚିର-ବିଦାୟ ଘେନି ତାଙ୍କଠାରୁ ।’’

 

ଶୁଣି ଏହା ଯବନେଶ ବିହନ୍ତେ ସମ୍ମତି,

ପ୍ରବେଶି ପଦ୍ମିନୀ ରାଣୀ ଖରେ କାରାଗାରେ

ବନ୍ଦି ସ୍ୱାମୀ-ପାଦ-ପଦ୍ମ ଚିରବନ୍ଦନୀୟ,

ହେଲେ ସତୀ ଯୁକ୍ତକରେ କିୟଦ୍ଦୁରେ ଉଭା ।

 

ସ୍ୱୀୟ ପାଟେଶ୍ୱରୀ ହେବେ ଯବନମହିଷୀ

ଶୁଣିଥିଲେ ଆଗୁଁ ଏହା ରାଣା, ଦେଖି ଏବେ

ଉପସ୍ଥିତ ତାଙ୍କୁ ସ୍ୱୟଂ ବିପକ୍ଷ ଶିବିରେ,

ଭାଙ୍ଗିଲେ ସହଳେ ଚକ୍ଷୁକର୍ଣ୍ଣର ବିବାଦ ।

 

କ୍ରୋଧଘୃଣାବ୍ୟଞ୍ଜୀ ତୀବ୍ର କର୍କଶ ବଚନେ

କହିଲେ ଚିତୋର-ପତି, ଦୁରରୁ ଯବନୀ

ଆର୍ଯ୍ୟକୁଳକଳଙ୍କିନୀ, ରମଣୀପାଂଶୁଳା,

ସମରପି ଜଳାଞ୍ଜଳି ପାତିବ୍ରତ୍ୟ ବ୍ରତେ,

 

ଆବର କୌଳିକ ଧର୍ମେ, ଇଚ୍ଛିଲୁ ପିଶାଚି

ଯବନପକିର ଅଙ୍କ, ଯବନ ଅଇଁଠା,

ଶୋଇଛନ୍ତି ପରା ସର୍ବ ରାଜପୁତବୀରେ

ଆତ୍ମବିସ୍ମୃତିର କ୍ରୋଡ଼େ, ଦୈବ ଦୁର୍ବିପାକେ,

 

ତେଣୁ ଏ ଅନୀତି ତୋର ସହିଲେ ନୀରବେ;

ମାତ୍ର ସହିଲେ କିପରି ଏକଲିଙ୍ଗ ପ୍ରଭୁ !

ଧରିଲେ କିପରି ଅବା ଏ ପାପର ଛାୟା

ରୁଦ୍ରକାନ୍ତ, ସମୁଜ୍ଜ୍ୱଳ ହୃଦବିମ୍ବେ ସେହୁ,

 

ଲାଗୁଅଛି ମୋତେ ଏହା ଅସମ୍ଭବ ଅତି ।

ଯେଉଁ ରାଜପୂତ ଜାତି କୁଳଲକ୍ଷ୍ମୀକୁଳ

ନ ହୋଇ ଜୀବନ୍ତେ କେବେ ବୈରି-ବଶୀଭୂତା,

କଠୋର ଜହର ବ୍ରତ ଆଚରନ୍ତି ମୁଦେ,

 

ଜାତ କି ସେ କୁଳେ ହାୟ ତୁହି ପାପୀୟସୀ ?

ଏ ବଡ଼ ଅଦ୍ଭୁତ, ଅହୋ, ସୁରପୁନ୍ନାଗରେ

ଫୁଟିଲା ସଚିଣା ଫୁଲ- * ପୂତିଗନ୍ଧମୟ

କେ କହିବ କାହା ଶାପେ ପୁଣ୍ୟ ତୀର୍ଥଜଳେ

*ଛତିଆନା ବା ସପ୍ତପର୍ଣ୍ଣୀ ଫୁଲ

 

ମିଶିଲା ଅମେଧ୍ୟ, ବଡ଼ ମର୍ମନ୍ତୁଦ ଏହା ।

ରାଜହଂସବଂ ଶୋଦ୍ଭବା ରମ୍ୟା ରାଜହଂସୀ

ବରିଛି ଆମିଷଭୋଜୀ ବକେ ପତି-ପଦେ,

ଶୁଣିଛି କି କେବେ କେହି ଏହି ଅଘଟନ ।

 

ଧିକ ତୋ କରଣୀ ଦୁଷ୍ଟା, ଏକଇ କରମେ

ବୋଲିଲୁ କଳଙ୍କ-କାଳୀ ପତି-ପିତୃକୁଳେ,

ମହାପାପ ତୋର ଦଗ୍‌ଧ ମୁଖାବଲୋକନ ।

ଜନ୍ମ ପଛେ ମୃତ୍ୟୁ, ମୃତ୍ୟୁ ପଶ୍ଚାତେ ଜନମ,

 

ନିୟତିନିର୍ଘଣ୍ଟ ଏହା, ମୃତ୍ୟୁ ସିନା ଖାଲି

ଆକୃତି-ବିକୃତି, ଅତଃ କି ଶଙ୍କା ତହିଁରେ ?

ନ ବୁଝିଲୁ ଏ ରହସ୍ୟ ଛାର ମୃତ୍ୟୁଭୟେ,

କ୍ଷତ୍ରକନ୍ୟା ହୋଇ ହେଲୁ ଜୀବନରଙ୍କୁଣୀ,

 

ଲଗାଇଲୁ ଯେ କାଳି ତୁ ଚିତୋର-ବଦନେ,

ଶତ ଧୌତେ ହେବ ନାହିଁ ବିଲୁପ୍ତ ସେ ଦାଗ,

ଯା ଯା ଏବେ ତୋ ଯବନ ପ୍ରିୟପତି କତି ।’’

ଶୁଣି ସ୍ୱାମୀଙ୍କର ଏହି ପୁରୁଷ ଭର୍ତ୍ସନା,

 

ନ ହେଲେ ପଦ୍ମିନୀ କ୍ଷୁବ୍‌ଧା, କୋପେ ବିଚଳିତା

ସତୀ ହୃଦଗୃହ, ଶାନ୍ତି ସଂଯମ ଆଧାର,

ମଣ୍ଡିତ ସେ ଦୟା କ୍ଷମା ଧୈର୍ଯ୍ୟାଦି ରତନେ,

ଧର୍ମ ତାର ଦ୍ୱାରରକ୍ଷୀ-ନ୍ୟାୟ ଅସ୍ତ୍ରଧାରୀ,

 

କି ଚାରା ପଶିବ ତହିଁ ପାପାଚାରୀ କ୍ରୋଧ,

କି ଚାରା ପଶିବ ଅହୋ ଅସ୍ପର୍ଶ୍ୟ ମାହାର

ନୀଳାଚଳେ ନୀଳମଣି ପବିତ୍ର ଦେଉଳେ ?

କରାଇଲେ ସୁଦ୍ଧା କେହି କ୍ରୋଧର ଉଦ୍ରେକ,

 

ହୁଏ ନାହିଁ କ୍ରୁଦ୍ଧ ସତୀ ଶୀତଳ ହୃଦୟ,

ଜଳଇ କି ଜଳେ ଦୀପ ଶତ ଚେଷ୍ଟାବଳେ

ତୈଳାଭାବେ, ନୁହେ ତାହା ପ୍ରକୃତି-ନିୟମ ।

ମଧୁର ଭାଷିଲେ ରାଣ ରାଣା ଭୀମ ସିଂହେ,-

 

ପଦ୍ମିନୀ-ହୃଦୟ-ବନ୍ଧୁ, ନ ଜାଣ କି ପ୍ରଭୁ,

ତବ ଚିର ପରିଚାରୀ ପଦ୍ମିନୀ ହୃଦୟ ?

ପୋଷ ଯା ଯବନ କତି ଦୂରଦୃଷ୍ଟ ମମ;

ଇଚ୍ଛଇ କି ଚିତ୍ରା ତାରା ଭିନ୍ନ କେବେ

 

ଅମଙ୍ଗଳ ଧୂମକେତୁ ? ସମ୍ୱୋଧିଲ ମୋତେ

ଯବନୀ ବୋଲିଣ, ଯଦି ରାଣା ଭୀମ ସିଂହ

ବନ୍ଦୀ ହୋଇ କାରାଗାରେ ଯବନପତିର

ହୋଇଥାନ୍ତି ଯବନତ୍ୱ ପ୍ରାପ୍ତ, ନିଶ୍ଚେ ତେବେ

 

ଯବନୀ ପଦ୍ମିନୀରାଣୀ; ଉପାହିତା ସିନା

ପତି ଉପାଧିରେ ପତ୍ନୀ, ଏ ଶାଶ୍ୱତୀ ଧାରା ।

ନୁହେଁ ମୁଁ ଦୁଃଖିତା ନାଥ ତୁମ୍ଭ ଭର୍ତ୍ସନାରେ,

ହେବାରୁ ମୋ ଭାଗ୍ୟେ ଆଜି ଉପଲବ୍‌ଧ ତାହା,

 

ମଣୁଛି ମୁଁ ଆପଣାକୁ ପ୍ରଗୌରବାନ୍ୱିତା;

ହେଉ ପଛେ ଯେତେ କଟୁ ପ୍ରିୟ ତିରସ୍କାର,

ତଥାଚ ମଧୁର ତାହା, ଆନ କର୍ଣ୍ଣେ ସିନା

କର୍କଶ ବାରିଦ ସ୍ୱର, ମାତ୍ର ନ ମଣେ କି

 

ମଧୁର ମଧୁରତର ତାହା ଚାତକିନୀ ?

ଏହା ଭାଷି ନିବେଦିଲେ ସତୀ ପତିପଦେ

ସକଳ ବୃତ୍ତାନ୍ତ; ଶୁଣି ଭୀମ ସିଂହ ତାହା,

ହେଲେ ଯଥା ବିମୋହିତ ତଥା ଅପ୍ରତିଭ ।

 

ତହୁଁ ପ୍ରାଣପ୍ରେୟସୀଙ୍କି ସମ୍ୱୋଧି କୋମଳେ

ବୋଇଲେ ଏସନ-‘‘ସତି ! ମହାବୁଦ୍ଧିମତୀ

ତୁମ୍ଭେ, ଭିଆଇଛ ମୋର କାରାମୁକ୍ତି ପାଇଁ

ଏ କୌଶଳ, ନ ଜାଣି ଯା ଦୋଷିଲି ବ୍ୟର୍ଥରେ,

 

ସେଥିଲାଗି କରୁଛି ମୁଁ ଏବେ ଅନୁତାପ,

ଏହି ଏକା ଏ ପାପର ଯୋଗ୍ୟ ପ୍ରାୟଶ୍ଚିତ୍ତ,

ତୁମ୍ଭର ଏ କିର୍ତ୍ତୀଗାଥା-ବିମଳ ଉଜ୍ଜ୍ୱଳ,

ବିମଳ ଉଜ୍ଜ୍ୱଳ ଯଥା ପାତିବ୍ରତ୍ୟ ତବ,

ଧରିବ ଅମର ବକ୍ଷେ ସଦା ଇତିହାସ,

(ଭୂତସାକ୍ଷୀ ଅତୀତର ଘଟନାପଞ୍ଜିକା)

ଦେବି, ତୁମ୍ଭେ ମହାସତୀ ମହାକ୍ଷମାଶୀଳା,

କ୍ଷମିବ ଏ ଅକିଞ୍ଚିନ ପତି ଅପରାଧ

ନିଜଗୁଣେ, ଏହି ମାତ୍ର ମାଗୁଣି ମୋହର ।’’

ପୂଜ୍ୟ ପତି କାକୁ ବାଣୀ ଶୁଣିଣ ପଦ୍ମିନୀ

 

ଭାଷିଲେ ବିନୟେ, ‘‘ନାଥ, ଏଭଳି ବଚନ

ନ ଧର ପୁନଶ୍ଚ ମୁଖେ, ତୁମ୍ଭେ ମୋର ଗୁରୁ,

ତୁମ୍ଭେ ପ୍ରଭୁ, ଏ କିଙ୍କରୀ କିଣା ତବ ପାଦେ,

ଦାସୀଠାରେ କ୍ଷମା-ଭିକ୍ଷା ନୁହଇ ବିହିତ,

 

ଥାଉ ସେ ପ୍ରସଙ୍ଗ, କ୍ରମେ ହେଉଛି ଉଛୁର,

ଖରେ କାରାଗାରୁ ଏବେ ହେବା ବହିର୍ଗତ ।’’

ଶୁଣି ଏହା ଭୀମସିଂହ କହିଲେ ଏସନ,-

‘‘ବୀର ହୋଇ ଚୋର ପରି ଯିବାକୁ ପଳାଇ

 

ବଳୁ ନାହିଁ ମନ ମୋର, ବରଞ୍ଚ ତାଠାରୁ

ଶ୍ରେୟ ଆଜୀବନ ବାସ ଶତ୍ରୁ କାରାବାସେ,

ଯବନ ପଦାଙ୍କେ ମଣି କପାଳେ ତିଳକ ।

କ୍ଷତ୍ରିୟ ମୁଁ, ଜନ୍ମ ମୋର ମହାକ୍ଷତ୍ରକୁଳେ,

 

ସିଂହ ହୋଇ ଆଚରିବି ଶୃଗାଳ ଧରମ ?

ଶୁଣି ଏ ଭୀରୁତା ମୋର, ଉଚ୍ଚାରିବେ ବୀରେ

କଟୁ ପରିହାସ ବାଣୀ, ଅସହ୍ୟ ଅତୀବ,

ଜନ୍ମାଇବ ହୃଦେ ମୋର ମହାବ୍ୟଥା ସେହୁ

 

ବଳି ଶତ ବଜ୍ରାଘାତୁଁ, କ୍ଷତ୍ରଧର୍ମ ତେଜି

ହେବି ବା କଳଙ୍କଦ୍ୱାରେ କିପାଇଁ ଭିକ୍ଷୁକ ?’’

ଉତ୍ତରିଲେ ସତୀ- ‘‘ନାଥ, କେଉଁ ନ୍ୟାୟରଣେ

ପରାଜୟ କରି ଅବା ତୁମ୍ଭଙ୍କୁ ଯବନ

 

ରଖିଅଛି ବନ୍ଦିଶାଳେ, ଅଧର୍ମୀ ସହିତ

ବିଧି କି ପାଳିବା ଧର୍ମ, ପାଷାଣ୍ଡ ମିଥ୍ୟୁକ

ଯେହୁ, ବିଶ୍ୱାସଘାତକ, ପ୍ରତାରିତ ତାକୁ

କରିବା ତ ନୁହେ ନ୍ୟାୟଧର୍ମବିଗର୍ହିତ ।

 

ଶତ୍ରୁ ହସ୍ତୁଁ ଆତ୍ମୋଦ୍ଧାର ବଳେ ବା କୌଶଳେ

ଏହା ନୀତିଶାସ୍ତ୍ରାଦେଶ, ନ ଘଟେ ସୁବିଧା

ଯହିଁ ବଳପ୍ରୟୋଗର, କୌଶଳରେ ତହିଁ

କରିବା ଉଚିତ ସିନା କର୍ତ୍ତବ୍ୟ ସାଧନ;

 

ଲଭିଥିଲେ ରକ୍ଷା ପରା କୌଶଳେ ପାଣ୍ଡବେ

କୁଚିତ୍ର-କୌରବକୃତ ରୁଦ୍ର ଜତୁଗୃହୁ ।

ନୁହେ ଏହା ନିନ୍ଦା କିମ୍ୱା କଳଙ୍କର କଥା,

ବରଞ୍ଚ ଚତୁରତାର ଭୂୟସୀ ପ୍ରଶଂସା ।

 

ନ ଖୋଜି ଉଦ୍ଧାର ରାହା ଭଜିବା ହତାଶା

ନିର୍ଜୀବତା ନିଦର୍ଶନ, ଉଦ୍ୟୋଗ ପୟରେ

ନ ଖଟିଲେ ପୂଜାହାରିପଣେ ନିଷ୍ଠା ସହ,

ହୁଏ ନାହିଁ ଇଷ୍ଟସିଦ୍ଧି କାର କେଉଁକାଳେ,

 

ଭାଗ୍ୟ-ଭଣ୍ଡାରର କଞ୍ଚି ନିଶ୍ଚୟ ଉଦ୍ୟୋଗ ।

ନାରକୀ ବର୍ବର ଆଲ୍ଲା ପ୍ରବଞ୍ଚନ-ପଟୁ,

ଜାଣିଣ ତୁମ୍ଭଙ୍କୁ ସାଧୁ ସରଳବିଶ୍ୱାସୀ

କଲା ପ୍ରତାରଣା, ତାକୁ ପ୍ରତି-ପ୍ରତାରଣା

 

କରିବା ନୁହଇ ପାପ, ଶଠତା-ବ୍ୟାଧିର

ମହୌଷଧି ଶାଠ୍ୟ ସିନା, ବିଷ ବ୍ୟତିରେକେ

କେ ଅବା ପାରିବ କାଟି ବିଷ ବିସର୍ପଣ ।

ଲଭୁ ଦୁଷ୍ଟ ଉପଯୁକ୍ତ ଶିକ୍ଷା, ବୁଝୁପୁଣି-

 

ଯେ ଖୋଳିବ ଗାତ, ନିଶ୍ଚେ ପଶିବ ସେ ତହିଁ ।

ଏସନ ସୁଯୁକ୍ତି ଯୋଗେ ମଙ୍ଗାଇଣ ଧବେ

ପଦ୍ମିନୀ-ପଦ୍ମିନୀକଳ୍ପା କୋମଳହୃଦୟା,

ଘେନିଗଲେ ବନ୍ଦିବାସ ବହିର୍ଭାଗେ ତ୍ୱରା;

 

ଉଭୟ ଶିବିକା ତହିଁ ଥିଲାକ ରକ୍ଷିତ

ପୂର୍ବୁ, ସପତ୍ନୀକ ରାଣା ଭୀମସିଂହଙ୍କର

ଆଗମନ-ପ୍ରତୀକ୍ଷାରେ, ଦମ୍ପତ୍ତିଯୁଗଳ

ଆରୋହଣ କଲେ ଯାଇ ତହିଁ ସଂଗୋପନେ,

 

ତହୁଁ ଖରେ ଛଦ୍ମବେଶୀ ଶିବିକା-ବାହକେ

ବହିଣ ବିଶାଳ କନ୍ଧେ ସେ ବେନି ଶିବିକା

ଚଳିଲେ ଚିତୋର ମୁଖେ, ପଛେ ପଛେ ତାର

ଆବର ଶିବିକା କେତେ ଗଲା ଦ୍ରୁତବେଗେ ।

 

ନିରେଖି ଦୂରରୁ ତାହା ଯବନ ସମ୍ରାଟ

ଭାବିଲା ସ୍ୱଗତେ ଏହା, ଏହି ଯେ ଶିବିକା

ଚାଲିଛି ଚିତୋର ଦିଗେ, ଗଲେ ତହିଁ ପରା

ରାଜପୁତ କୁଳବାଳାକୁଳ, ଘେନି ଚିର-

 

ବିଦାୟ ପଦ୍ମିନୀ ପାଶୁଁ, ଅବଶିଷ୍ଟ ଯାହା

ରହିଲା, ସେଥିରେ ଛନ୍ତି-ସହଚରୀବାର ।

ବିଳମ୍ୱ ତ ନାହିଁ ଆଉ ପଦ୍ମିନୀର ଭେଟ,

ଏକ୍ଷଣି ସେ ଆସି ମୋତେ ଭଜିବ ନିଶ୍ଚୟ,

 

ମାତ୍ର ମୁଁ କି ଦ୍ରବ୍ୟ ତାକୁ ଦେବି ଉପହାର ?

ରମଣୀଏ ସ୍ପୃହାବତୀ ରତ୍ନ ଅଳଙ୍କାରେ,

ମାତ୍ର ନ ରୁଚିବ ତାହା ମନକୁ ତାହାର,

ସ୍ୱଭାବେ ଅଳଙ୍କାରର ଅଳଙ୍କାର ଯେହୁ,

 

ଗ୍ରାମ୍ୟ ଅଳଙ୍କାରେ ତାର କେଉଁ ପ୍ରୟୋଜନ ?

ଭାଳୁ ଭାଳୁ ଏହା, ସହି ନ ପାରି ଉଛୁର

ହେଲା ଅତି ଅସମ୍ଭାଳ, ଆଶାୟୀ ମାନସ

ସହେ କି ବିଳମ୍ୱ କେବେ, ଅଭୀଷ୍ଟସିଦ୍ଧିରେ

 

ଘଟଇ ବିଳମ୍ୱ ଯେତେ, ବଢ଼ୁଥାଏ ତେତେ

ଆବେଗ ତାହାର ହୃଦେ, ବଢ଼ୁଥାଏ ଯଥା

ମୂଳେ ମିଶି କଳନ୍ତର ଚକ୍ରବୃଦ୍ଧିକ୍ରମେ ।

ହକାରି ପ୍ରଣିଧିବର୍ଗେ ଯବନ-ଅଧିପ

 

ଆଦେଶିଲା କ୍ରୋଧେ-ଯାଇ ଏହି ମୁହୂର୍ତ୍ତରେ

ଘେନି ଆସ ପଦ୍ମିନୀକୁ ଭୀମ ସିଂହ ପାଶୁଁ

କାରାଗାରୁ, ଅହୋ କେଡ଼େ ଆସ୍ପର୍ଦ୍ଧା ରାଣାର !

କେଉଁ ଅଧିକାର ତାର ପଦ୍ମିନୀ ଉପରେ,

 

କରୁଅଛି ମନସୁକେ ଏତେବେଳଯାଏ

ପ୍ରେମାଳାପ, ଶତ ଧିକ ନିର୍ଲଜ୍ଜ ପାମରେ ।

ଶିରୋଧାର୍ଯ୍ୟ କରି ଦୂତେ ସମ୍ରାଟ-ଆଦେଶ

ପଶି ବନ୍ଦିଶାଳା ମଧ୍ୟେ, ହେରିଲେ ବିସ୍ମୟେ

 

ମହାଶୂନ୍ୟାୟିତ ତାହା, ନାହାନ୍ତି ପଦ୍ମିନୀ

କିମ୍ବା ରାଣା ଭୀମ ସିଂହ, ବାରିଦ ସହିତେ

ଉଭେଇଲା ପ୍ରାୟ ଧନୀ ବାରିଦ ପ୍ରେୟସୀ,

ହୋଇଛନ୍ତି ଅନ୍ତିର୍ହିତା ରାଜପୁତ-ରମା ।

 

ଶୁଣି ଏ ସନ୍ଦେଶ ଆଲ୍ଲା ହେଲା ବ୍ୟାକୁଳିତ

ଆଶାଭ୍ରାନ୍ତ ପାନ୍ଥ ଯଥା ସଂସାର-ମରୁରେ,

ସ୍ୱର୍ଗସ୍ପର୍ଶ ପରକ୍ଷଣେ ମୂମୁକ୍ଷୁ ବ୍ୟକ୍ତିର

ଘଟିଲା କି ଅଧୋଗତି, ଥିଲା ଉତ୍ତରଳି

 

ଯେ ଲିସ୍ପା ପାପିଷ୍ଠ-ହୃଦେ, ପଡ଼ିଲା ସେ ନଇଁ

ପୂର୍ଣ୍ଣିମା ନିଶାନ୍ତେ ଯେହ୍ନେ ସାଗରେ ଜୁଆର ।

କ୍ରୋଧ ଦୁଃଖ ଅପମାନ ପ୍ରତିଶୋଧ ସହ

ଘାଣ୍ଟିଲେ ଚାରିହେଁ ତାର ପାପଯୁକ୍ତ ମନେ;

 

ଆଲୋଡ଼ନ୍ତି ଗ୍ରୀଷ୍ମେ ଯଥା ଶୂକର ସମୂହେ

କର୍ଦ୍ଦମ-କଳୁଷ-ତୋୟ କୁତ୍ସିତ-କାସାରେ ।

କ୍ରୋଧାନଳେ ଜଳି ଧୂର୍ତ୍ତ କଲା ଆଜ୍ଞା ଦାନ

ଚମୂଚୟେ, ଶିବିକାର ପଟ୍ଟ ଉନ୍ମୋଚନେ;

 

ତହୁଁ ସୈନ୍ୟେ ଶିବିକାର ଆବରଣ ଫେଇ,

ଦେଖି ମଧ୍ୟେ ଅବସ୍ଥିତ ସଶସ୍ତ୍ର ସାମରୀ,

ପଡ଼ିଲେ ଚମକି ସର୍ବେ, କାଠୁରିଆ ପ୍ରାୟ,

ଦୈବେ ଯେବେ ମିଳି ସେହୁ ବ୍ୟାଘ୍ରବସା ପାଶେ

 

ନିରେଖଇ ଉଲ୍ଲୋମଶେ ସୁପ୍ତ ମହାବଳେ ।

ବାହାରି ଶିବିକା ଗର୍ଭୁ ରାଜପୁତ ବୀରେ

ଉଚ୍ଚାରି ଉଚ୍ଚରେ ‘‘ଜୟ ଏକଲିଙ୍ଗ ଜୟ’’

ମହାସ୍ତୋତ୍ରେ ମହାମନ୍ତ୍ରେ, ଆଉଁଷିଣ ନିଶେ,

 

ପଡ଼ିଲେ ବିପକ୍ଷ ପରେ ଝାମ୍ପି ଦର୍ପଭରେ,

ଊର୍ଣ୍ଣନାଭ ମକ୍ଷି ପୃଷ୍ଠେ ଯଥା । ଅନନ୍ତର

ଲାଗିଗଲା ବେନି ସେନା ମଧ୍ୟେ ରୁଦ୍ର ରଣ,

ଅସ୍ଫାଳିଲେ ବୀରେ ଅସି, ଏକ କାଳେ ଅବା

 

କୋଟି ବିଜୁଳିର ଜ୍ୟୋତି ହେଲା ପ୍ରକାଶିତ ।

ବିଜିତର ଆର୍ତ୍ତନାଦେ, ଜେତାର ହୁଙ୍କାରେ,

ଭୀଷଣ କୃପାଣ ଚୋଟ ଚଟ ଚଟ ସ୍ୱନେ

ହେଲା କ୍ଷେତ୍ର ମୁଖରିତ, ପୂର୍ଣ୍ଣ ହାଟ ଯଥା,

 

ହୁଏ ଅକସ୍ମାତ ଯଦି ବୃଷ୍ଟିଧାରାପାତ ।

ବାହାରିଣ ଦଳେ ଦଳେ ଶ୍ମଶ୍ରୁଳ ପଦାତି

ଯବନ ଶିବିର ମଧ୍ୟୁଁ, ଚତୁର୍ମାସ୍ୟା କାଳେ

ବଲ୍ମୀକରୁ ଝଡ଼ିକୀଟ ପ୍ରାୟ, ପୁଷ୍ଟି କଲେ

 

ଆତ୍ମପକ୍ଷ ଆସି, ଦେଖି ରାଜପୁତେ ତାହା

ହେଲେହେଁ ଅପେକ୍ଷାକୃତ ସଂଖ୍ୟାରେ ନିଊନ,

ହେଲେ ନାହିଁ ଭୀତ କିମ୍ୱା ବିଚଳିତମତି,

ଆକ୍ରମଇ ଭୟ ସିନା ହୀନସତ୍ୱ ଜନେ,

 

ମାତ୍ର ଯେ ପୌରୁଷ-ବର୍ମେ ସଂପହିତ ସଦା,

ରଣେ ପୃଷ୍ଠଭଙ୍ଗ ଯାଙ୍କ ମରଣୁ ଅଧିକ,

କି ଚାରା ଭୟର ସେହୁ ପଶିବ ଉଦ୍‌ଘାଟି

ସାହସ-ଅର୍ଗଳ-ବଦ୍ଧ ତାଙ୍କ ହୃତ୍କପାଟେ ।

 

ବଢ଼ିଲା ବେଳକୁ ବେଳ ବିଷମ ସମର,

ଜନମି ସ୍ପୁଲିଙ୍ଗରାଶି ଶସ୍ତ୍ରସଂଘର୍ଷଣେ

ଉଡ଼ିଲା ଚୌଦିଗେ, ଯଥା ଅନ୍ଧାର ରାତିରେ

ଉଡ଼ନ୍ତି ଜ୍ୟୋତିରିଙ୍ଗଣେ ପୁଞ୍ଜ ପୁଞ୍ଜ ହୋଇ ।

 

ଯୁଝନ୍ତି ଉଭୟ ସେନା ଉତ୍ସାହେ ନିର୍ଭରି,

ଉଭୟେ ଜିଗୀଷୁ, କେହି ନ କରି ସ୍ୱୀକାର

ପରାଜୟ, ହାଣ ଖାଇ ପରସ୍ପର କରେ

ହେଲେ ରକ୍ତାଭ୍ୟକ୍ତ, ଯେହ୍ନେ ଦୋଳଯାତ୍ରାକାଳେ

 

ରଞ୍ଜିତ ଅବିରଜଳେ ଯାତ୍ରାକାରିଗଣ ।

ଲାଗିଲାକ ଅହୋ ରଣେ ବିଷମ ମାରୁଣି

ମାର ମାର କାଟ କାଟ ଶବ୍ଦେ, କେହି କାର

ଭୁଷି ଦେଇ ପେଟେ ଭଲ୍ଲ-ସବଳେ, ସବେଗେ

 

ଆଣିଲା ଓଟାରି ଅନ୍ତ ସହ ପ୍ରାଣବାୟୁ

ତାର, ଛିନ୍ନଶିର ଶତ୍ରୁଶସ୍ତ୍ରେ କେହୁ, ହୁଏ

ଗଣ୍ଡି ତାର ଛଟପଟ ରଣାଙ୍ଗନେ ପଡ଼ି ।

କେହି ଅବା ହସ୍ତଶୂନ୍ୟ, ଘୋର ଯନ୍ତ୍ରଣାରେ

 

ଉଚ୍ଚାରଇ ଆହା ଉହୁ ମଲି ମଲି ବାଣୀ

କାତର୍ଯ୍ୟ କାରୁଣ୍ୟବ୍ୟଞ୍ଜୀ ପ୍ରାଣସ୍ପର୍ଶୀ ସ୍ୱରେ ।

ପଡ଼ିଲେ ବିସ୍ତର ସେନା ଉଭୟ ପକ୍ଷରୁ

ଆଚ୍ଛାଦି ସମରକ୍ଷେତ୍ର; ହୋଇ ମିଶାମିଶି

 

ଅହିନ୍ଦୁ ହିନ୍ଦୁ, ଧର୍ମର ପାର୍ଥକ୍ୟେ ପାସୋରି ।

ନାହିଁ ବିଜାତୀୟ ଘୃଣା, ପାର୍ଥିବ ଶତ୍ରୁତା,

ବସିଛି ତା ସ୍ଥାନେ ଏବେ ମୈତ୍ରୀ ଅନାବିଳା ।

ମର୍ତ୍ତ୍ୟର ପଦାର୍ଥ ସିନା ଅଟେ ଭେଦନୀତି,

 

ଥାଏ ମର୍ତ୍ତ୍ୟେ ସେହୁ, ରହେ ମାଟି ସଙ୍ଗେ ମିଶି ।

ଅର୍ପି ଅଛି ମୃତ୍ୟୁ ଆଜି ନିର୍ଜୀବ ଶରୀରେ

ଏହି ସାମ୍ୟ-ସନ୍ଥ ଏହି ମହାବିଦ୍ୟା ନବ,

ବଡ଼ ରାଢ଼ ମୃତ୍ୟୁ, ସେହୁ ବାଟେ ଏକାବେଳେ

 

ପ୍ରାଣବୃକ୍ଷ, ତଦାଶ୍ରିତା ଭେଦନୀତି-ଲତା ।

ଆତ୍ମପକ୍ଷ ସୈନ୍ୟ କ୍ଷୟ ନ ପାରିଣ ସହି

ରୁଷିଲା ଅରାତିଧ୍ୱଂସୀ ରଣସିଂହ ଗୋରା,

ବେନି ହସ୍ତେ ବେନି ଅସି ବୁଲାଇ ବହନ

 

ପଶିଲା ଯବନବ୍ୟୁହେ କାଳାନ୍ତକ ପ୍ରାୟ,

ଘୂରେ କରବାଳ କରେ ପବନୁ ପ୍ରଖରେ

ସନ ସନ ସ୍ୱନେ, କେବେ କେଉଁ ହସ୍ତ ଘୂରେ

କେଉଁ ଭାବେ, ହୁଏ ନାହିଁ ଜାଣି ତାହା କିଛି,

 

ଆଭାସେ କେବଳ ଦୀପ୍ତ କୃପାଣପରିଧି

ବେଢ଼ିଛି ଶରୀରେ ତାର, ଦେବଦେହେ ଯଥା

ଉଜ୍ଜ୍ୱଳ ପ୍ରଭାମଣ୍ଡଳ ଘେରିଥାଏ ସଦା ।

କାଟିଲା ଅସଂଖ୍ୟ ଅରି ବିକ୍ରମ ପ୍ରକାଶି,

 

ରୋଷ-ରକ୍ତ-ନେତ୍ରେ ଯାଏ ଖେଦି ଯେଉଁ ଦିଗେ

ପଳାନ୍ତି ସେ ଦିଗୁଁ ଭୟେ ଯବନ ସୈନିକେ

ହୋଇ ଛତ୍ରଭଙ୍ଗ, ଯଥା ମାଲ୍ୟଗିରି ଶିଖୁଁ

ଆସିଲେ ତଳକୁ ଗଡ଼ି ଭୀମ ମହାବଳ,

 

ପଳାନ୍ତି ତରାସେ ଖରେ ଗୋଯୂଥେ କେ କାହିଁ ।

ଅଥବା ଲାଗିଲେ ନିଆଁ ବାଣବୃକ୍ଷେ ଯଥା

ଲୁଚି ବୃକ୍ଷ ଅନ୍ତରାଳେ ବିବାହଯାତ୍ରିଏ

ଦେଖନ୍ତି ଅନଳକ୍ରୀଡ଼ା, ତଥା ପଳାୟକେ

 

ଲୁଚି ଶବସ୍ତୁପ ପଛେ, ଦେଉଥାନ୍ତି ଚାହିଁ

ଥରେ ଥରେ ଗୋରାସିଂହ ହୃତ୍କମ୍ପୀ ସମରେ ।

ବହୁକଷ୍ଟେ ଫେରାଇଣ ପଳାୟିତ ଜନେ

ଯବନବାହିନୀପତି, ଶତବେଢ଼ କରି

 

ବେଢ଼ାଇଲେ ଗୋରାସିଂହେ, ଉଠିଲା ଉଛୁଳି

ଭୀଷଣ ସମର ସିନ୍ଧୁ, ଅବର୍ଣ୍ଣିତ ଭାବେ;

ବର୍ଷିଲା ଚୌଦିଗୁ ଅସ୍ତ୍ର, ମାତ୍ର ନୋହି ତହିଁ

କାତର ବୀରେଶ ଗୋରା ରାଜପୁତ-ରବି

 

ସଂହାରି ସେ ଅସ୍ତ୍ର ଅସ୍ତ୍ରେ, ପ୍ରତିଅସ୍ତ୍ରାଘାତେ

କଲା ଉତ୍ସାଦିତ ବହୁ ଯାବନୀ ପାଇକେ,

ଛାଡ଼ି ଘୋର ହୁହୁଙ୍କାର ବୀରତ୍ୱବ୍ୟଞ୍ଜକ ।

ଭାଙ୍ଗେ ଯେହ୍ନେ ଇକ୍ଷୁବନ ମତ୍ତ ମତଙ୍ଗଜ

 

ଅବହେଳେ, ଦେଖି ତାହା କ୍ଷେତ୍ରସ୍ୱାମିଗଣ

ଫୋପାଡ଼ନ୍ତି ମାଟିଟେକା, କେହି କେହି ଅବା

ଖୁଞ୍ଚୁଥାନ୍ତି ବଂଶଦଣ୍ଡ ଦୂରେ ରହି ରହି,

ମାତ୍ର ଗଜରାଜ ତିଳେ ନ ଗଣି ଅରିକି

 

କିମ୍ୱା ନ ଡ଼ରି ସେ ତୁଚ୍ଛ ପ୍ରହାରେ ଖୁଞ୍ଚନେ,

ରତ ଥାଏ କ୍ଷେତ୍ର ଜୁରେ, ଚାହିଁ ଥରେ ଥରେ

ପ୍ରହାରକେ କୋଣିଆଇ, ପ୍ରାଣ-ଆକର୍ଷିଣୀ

ସେହି ବଙ୍କିମ ଚାହାଣି, ନ ପାରିଣ ସହି

 

ପଳାନ୍ତି ଆତଙ୍କ ଗଣି କୃଷକେ ଚୌଦିଗେ,

ପଳାଇଲେ ତଥା ମ୍ଳେଚ୍ଛେ ପୃଷ୍ଠ ପ୍ରଦର୍ଶନି,

ମଣିଣ ଅସହ୍ୟ ଗୋରା ଦୁର୍ଜୟ ପ୍ରତାପ ।

ଗୋଡ଼ାଇଲେ ପଛେ ପଛେ ରାଜପୁତବୀରେ

 

କପୋତକଳାପ ପଛେ ବାଜବୃନ୍ଦ ପ୍ରାୟ

ନିକ୍ଷେପି ସୁତୀକ୍ଷ୍‌ଣ ଅସ୍ତ୍ର, ଲୋଷ୍ଟ୍ର, ବୃକ୍ଷଶାଖା,

ନିକ୍ଷେପି ବାଟୁଳି ଯଥା ନାଗରିକ ଦଳେ

ଘଉଡ଼ାଇ ଘେନିଯାନ୍ତି ଦୁର୍ବୃତ୍ତ ବାନରେ

(ମହାଧୂର୍ତ୍ତ ଖଣ୍ଟବୃତ୍ତି ପ୍ରୟୋଗ-ପାରଗ) ।

 

ପଳାଇ ପ୍ରାଣ ବିକଳେ ଲୁଚନ୍ତେ ଦୁର୍ଜନେ

ଆସିଲେ ବାହୁଡ଼ି ତହୁଁ ରାଜପୁତ-ସେନା

ନିବର୍ତ୍ତି ଅନୁଧାବନୁ, ଅଧ୍ୟକ୍ଷ ଆଦେଶେ ।

ହୋଇ ଏବେ ରିପୁମୁକ୍ତ ଗୋରା ବୀରମଣି,

 

ରାହୁମୁକ୍ତ ରବି ପ୍ରାୟ ଦିଶିଲେ ଶୋଭନ ।

ମାତ୍ର ଏ ବିଜୟାନନ୍ଦ କରିବାକୁ ଭୋଗ

ନ ଦେଲା ତାହାଙ୍କୁ କାଳ ଦଣ୍ଡେ ଅବସର,

ହୋଇଥିଲେ ବୀର କ୍ଳାନ୍ତ କରାଳ ସମରେ,

 

ବହୁଥିଲା କ୍ଷତମୁଖୁଁ ଶୋଣିତ ପ୍ରବାହ

ଅନିବାର୍ଯ୍ୟ ବେଗେ, ବହେ ବୃଷ୍ଟିଧାରା ଯଥା

ବୃକ୍ଷକାଣ୍ଡ, ହୋଇ ତହୁଁ ବିଶ୍ରାମାଥୀ ବୀର

କଲେକ ଶୟନ ଯାଇ, ମାତ୍ର ସେ ଶୟନ

 

ଅନ୍ତମ ଶୟନେ ଆହା ହେଲା ପରିଣତ !

ଥିଲା ଯେ ମୁହୂର୍ତ୍ତ ପୂର୍ବେ କୋଟି ଅରିନ୍ଦମ,

ଯୁଝି କୋଟି ବୀର ସହ ଆଣିଥିଲା ଟାଣି

ବିଜୟ-ଲକ୍ଷ୍ମୀଙ୍କୁ ବଳେ, ଏକାକୀ କାଳକୁ

 

ନ ପାରି ସେ ଜିଣି, ହେଲା ନିଧନ ତା ହାତେ,

କେ ଲଙ୍ଘିବ ଭବେ ହାୟ ପ୍ରାକ୍ତନ ଶାସନ ।

ଗଲା ବୀର ସୁରଧାମେ ବୀରଧର୍ମ ପାଳି,

କିନ୍ତୁ ରଖିଗଲା ଯେଉଁ କୀର୍ତ୍ତି-ମୋତିମାଳା

 

କର୍ମ-ସୁତ୍ର-ବିଗୁନ୍ଥିତ ଅମାନୁଷୀ ତାହା,

ଅମାନୁଷୀ ଯଥା ସାଧୁ ମହାତ୍ମା କରଣୀ ।

ଥିବ ରାଜପୁତ ଜାତି ଯାବତ ଜଗତେ,

ତାବତ ଶୋଭିବ ତାହା ବକ୍ଷେ ଏହି ମାଳା

 

ପ୍ରଭାମୟୀ, (ବିଦ୍ୟୁ ଯେହ୍ନେ ଖତମାଳଗଳେ)

ଅତୀତ ଜାତୀୟ ଶୌର୍ଯ୍ୟ-ଗୌରବ-ଜ୍ଞାପିନୀ ।

ଯବନିକା ପଡ଼ିଲା ତା ଜୀବନାଭିନୟେ,

ମାତ୍ର ତା’ ସ୍ମୃତି-ନାଟ୍ୟର ନାହିଁ ସମାପତି,

 

ତୋଳିଛି ସେ ନିଜେ ନିଜ ସ୍ମୃତି-ଅଟ୍ଟାଳିକା,

ଲାଗିଥିବ ତହିଁ ତାର ଚିର ଅଭିନୟ ।

 

ପେଷିଥିଲା ଏଥିପୂର୍ବେ ଯବନସମ୍ରାଟ

ଦ୍ରୁତଗତି ପଦାତିକବୃନ୍ଦେ ଧରିବାକୁ

ସପଦ୍ମିନୀ ଭୀମସିଂହେ ଗନ୍ତବ୍ୟ ପଥରେ ।

ଧାଇଁଲେ ଯବନେ ଛାଡ଼ି ଧର ଧର ରଡ଼ି

 

ଗର୍ଦ୍ଦଭବିନିନ୍ଦୀ ରୁଦ୍ର କଠୋର ଆରାବେ,

ଖଣ୍ଡେଦୂରୁ ଶୁଣି ତାହା ରାଜପୁତ ଶୂରେ

ଚାହିଁଲେ ପଛକୁ ଫେରି, ଅସ୍ଫାଳି ଆୟୁଧ,

ଅରି ପ୍ରତୀକ୍ଷାରେ ସର୍ବେ ହେଲେ ତହିଁ ଉଭା,

 

ଗତିଶୀଳ ବ୍ୟାଘ୍ର ଯଥା ମୃଗୟୁକୁହାଟେ

ଚାହିଁ ପଛେ, ଦନ୍ତ ନଖ ବିକଟେ ପ୍ରକଟି,

ବସିଥାଏ ପଥ ମାଡ଼ି ଲାଙ୍ଗୁଡ଼ କଚାଡ଼ି ।

ଏହି ଅବସରେ ରାଣା ବେଗଗାମୀ ହୟେ

 

ଆରୋହି ବହନେ, ଦେଲେ ଖରେ ଝପଟାଇ,

ତାହାର ଅବ୍ୟବହିତ ପରେ ପରିଗ୍ରହି

ପଦ୍ମିନୀ ପୁରୁଷମୂର୍ତ୍ତି, ଆନ ତୁରଙ୍ଗମେ

ଚଳିଲେ ଚିତୋର ମୁଖେ ଅନିଳୁ ଚଞ୍ଚଳେ,

 

ପହୁଞ୍ଚିଲେ ଭଭେ ଶୁଭେ ଦୁର୍ଗ ମଧ୍ୟେ ଯାଇ ।

ଲାଗିଲା ତୁମୁଳ ରଣ ଏଣେ ବେନି ଦଳେ,

ବେଳୁ ବେଳ ବଢ଼ିଲା ତା ବେଗ ବଢ଼େ ଯଥା

ଘୋର ବନେ ଦାବାନଳ, ଲଭି ସମୁଦ୍ଭବ

 

ଦନ୍ତାବଳ-ଦନ୍ତବଳ-ଦନ୍ତ ସଂଘର୍ଷଣୁ

ସ୍ଫୁଲିଙ୍ଗ ଆକାରେ । ମୋଡ଼ି ବୀରେ ବୀରକେଶେ

ସୃଜି ବୀରନୃତ୍ୟ, ରତ ଅରି ମାରଣରେ,

ଆଗେ ଅସ୍ତ୍ରାଅସ୍ତ୍ରି ଯୁଦ୍ଧ ଅର୍ଦ୍ଧଯାମଯାଏଁ,

 

ମାତ୍ର ଭାଙ୍ଗିଯାନ୍ତେ ଅସ୍ତ୍ର ହେଲା ହାତାହାତି;

ବରଷିଲା ରଣସ୍ଥଳେ ଗୋଇଠା ଚାପଡ଼ା

ବିଧା ଭୂଷା ଖୁନ୍ଦା ଆଦି ଅନର୍ଗଳ, ହେଲା

ପୂର୍ଣ୍ଣ କ୍ଷେତ୍ର ଚଟଚାଟ ଧୂଷଧାଷ ସ୍ୱନେ ।

 

ସଂଖ୍ୟାରେ ଅଧିକ ହେତୁ ଯବନବାହିନୀ;

ନ ପାରିଣ ତାହା ଆଗେ ତିଷ୍ଠି ରାଜପୁତେ

ଦେଲେ ପଛଘୁଞ୍ଚା; ତିନି ପହଣ୍ଡ ମାତର,

ଦେଖି ତା ବାଦଲ ବୀର ବୀରେନ୍ଦ୍ରକିରୀଟ

 

ଭାଷିଲାକ ଉତ୍ତେଜିନୀ ପ୍ରାଣମୟୀ ଭାଷେ,-

କି କର କି କର ଶୂରେ, କି କଳଙ୍କ ଅହୋ ।

ଶୋଭଇ କି ଛି-ଛି ଏହି ଘୃଣ୍ୟ ଭୀରୁ ନୀତି,-

କ୍ଷତ୍ରିୟ-ହର୍ଯ୍ୟକ୍ଷ ବାପ୍‌ପା ରାଓ ବଂଶଧରେ ?

 

ବିନଶ୍ୱର ପ୍ରାଣ ଆଶେ ଅନଶ୍ୱର ଯଶେ

ଦେବ କି ହେ ଜଳାଞ୍ଜଳି ପ୍ରାକୃତ ପରାୟେ ?

ବହିଣ କ୍ଷତ୍ରିୟବାହୁ କ୍ଷତ୍ର ଆଖ୍ୟା ଧରି

ଛାର ଯବନର ଭୟେ ବୋଲିବ କି କାଳି

 

ରଣେ ଚିର ଅପଳାୟୀ ରାଜପୁତକୁଳେ,-

ପୁଣି ଭାବୀ ବଂଶଧର ମୁଖେ; କି କହିବେ

ସେମାନେ ବା ଶୁଣି ଏହି ଅଲାଜୁକୀ ରୀତି

ତୁମ୍ଭମାନଙ୍କର, ହୀନ ପ୍ରାଣରଙ୍କ ସିନା

 

ହେବ ତବ ଯୋଗ୍ୟୋପାଧି, ସେ ଆସନ୍ନକାଳେ ।

ଏତେ ଭୟ ମରଣକୁ ଯଦି, ତେବେ କିପାଁ

ଆସିଲ ଏ ତୀର୍ଥେ, ଗୃହକୋଣେ ନ ଲୁଚିଣ

ନବବଧୂ ପ୍ରାୟ ? ମହାତୀର୍ଥ ରଣସ୍ଥଳ

 

ବୀର-ଆକାଙ୍‌କ୍ଷିତ, ତହିଁ ଝାସିବାକୁ ଦେହ,

କେବେ କି ହେ ପରାଙ୍ମୁଖ କେଉଁ ବୀର ଜାତି ?

ବୀରର ମରଣ ରଣ ଉଭେ ପ୍ରିୟତର ।

କରିଥାଅ ଯଦି ପ୍ରାଣେ ଭୀରୁତା ସମ୍ୱଳ,

 

ତେଜ ତେବେ ଅସ୍ତ୍ର, ଆଉ କି ଲୋଡ଼ା ତହିଁରେ ?

ପଳାୟନ ଲୋକହସା ଯୋଗ୍ୟ ଅସ୍ତ୍ର ତବ ।

ଜାଣିଛ ତ ଯବନର ଉଦ୍ଦେଶ୍ୟ ଘୃଣିତ,

ନାହିଁ ତବ ରାଜ୍ୟଧନେ ଲାଳସା ତାହାର,

 

ଲାଳୟିତ ଖାଲି ସେହୁ ପଦ୍ମିନୀ ସକାଶେ,

ଦେବ କି ହେ ଟେକି ଭଲା ଯବନହସ୍ତରେ

କୁଳଲକ୍ଷ୍ମୀ ସହ ସ୍ୱୀୟ ବଂଶୀୟ ମର୍ଯ୍ୟଦା ?

ନାରୀକୁ ଗୌରବ ଦାନେ ଆଦର୍ଶ ଯେ ଜାତି

 

ଆର୍ଯ୍ୟର ପବିତ୍ର ତୀର୍ଥ ନିଖିଳ ଭାରତେ,

ଶେଷ କି ହେ ତୁମ୍ଭ ଦେହୁ ସେ ଜାତି ଶୋଣିତ ?

ତୋଷି ଯବନକୁ ପରା ରମଣୀ-ଉତ୍କୋଚେ

ହେବ ପ୍ରସାଦାର୍ଥୀ, ତାର ପୋଷା ଶ୍ୱାନ ପରି,

 

ଧିକ, ଶତ ଧିକ ତବ ନିର୍ଲଜ୍ଜ ଜୀବନେ,

ଧୋଇବାକୁ ଆତ୍ମକୃତ ଏ କଳଙ୍କରାଶି

ସପ୍ତସାଗରର ବାରି ହେବ ଅନଟନ ।

ବହିଛ କିପାଇଁ ବୀରେ ଲୌହସାଞ୍ଜୁଭାର,

 

ଭାଙ୍ଗି ତାହା ଗଢ଼ି ତହିଁ ଦାସତ୍ୱ-ଶୃଙ୍ଖଳ

ଯବନର, ପିନ୍ଧ ହସ୍ତେ ପଦେ କଟିଦେଶେ,

ଉର୍ଜ୍ଜସ୍ୱଳ ଅପବାଦ ଅଳଙ୍କାରରୂପେ ।

ବୀର ପକ୍ଷେ ଅପମାନ ଶାସ୍ତି ଶିରଶ୍ଛେଦ,

 

ଭୁଲି ଏହା ହେଲ ଅହୋ ସର୍ବେ ଅଭାଜନ;

ଇଚ୍ଛ ଯଦି ଲଭିବାକୁ ମରି ଅମରତା,

ଧରିଣ ସାହସ ତେବେ ଦେଖାଅ ଯବନେ

ରାଜପୁତ ବାହୁବଳ-ଅସିର ପ୍ରଭାବ,

 

ବୀରର ସାହସ ସିନା ସର୍ବଶ୍ରେଷ୍ଠ ବଳ,

ସେ ବଳେ ବିପକ୍ଷ ଦେହୁ ଉତ୍ପାଦି ଶୋଣିତ

କର ତହିଁ ନିଜକୃତ କଳଙ୍କ କ୍ଷାଳନ,

ଏହି ମୁହୂର୍ତ୍ତରେ ପୁଣି ହୁଅ ଅଗ୍ରସର ।’’

 

ଦ୍ୱାଦଶ ବର୍ଷୀୟ ଶିଶୁ ବାଦଲ ମୁଖରୁ

ଶୁଣି ଏହି ବୀରୋଚିତ ଜ୍ୱାଳାମୟୀ ବାଣୀ

ହୋଇ ରାଜପୁତେ ମୁଗ୍‌ଧ , ବୋଇଲେ ଏସନ,-

‘‘ହେ ! ଶିଶୁ ଲଳିତବପୁ, ନୁହେ ତୁମ୍ଭେ ଶିଶୁ,

 

ଶିଶୁରୂପେ ମୂର୍ତ୍ତିମାନ ଜୀବନ୍ତ ଉତ୍ସାହ,

ଶୁଣି ତବ ବୀରବାଣୀ ମୃତ୍ୟୁସଞ୍ଜୀବନୀ,

ନ ହେବ ବା ପ୍ରବାହିତ ଉଷ୍ଣ ରକ୍ତସ୍ରୋତ

କେଉଁ କ୍ଷତ୍ର ଧମନୀରେ ବିଦ୍ୟୁତବେଗରେ ?

 

ଶୁଣିଣ ମାଜଣା ବାଦ୍ୟ ଗ୍ରାମ୍ୟଦେବତାର

ବସେ କି ଅଳସଭାବେ କଦାପି କାଳିସି

ନ ହୋଇ ଉନ୍ମତ୍ତ ? ଧନ୍ୟ ତୁମ୍ଭେ, ଧନ୍ୟ ତବ

ଜନକ ଜନନୀ ପୁଣି ଧନ୍ୟ ଜନ୍ମଭୂମି !

 

ତୁମ୍ଭର ଏ ତୀବ୍ରତର ତିରସ୍କାରଠାରୁ

ନୁହେଁ ମୃତ୍ୟୁ ଭୟପ୍ରଦ, ହୁଅ ଅଗ୍ରଗାମୀ

ତୁମ୍ଭେ, ଗମିବୁ ସକଳେ ପଶ୍ଚାତେ ତୁମ୍ଭର;’’

ଏହା ଭାଷି ଉଚ୍ଚାରିଣ ସର୍ବେ ସମସ୍ୱରେ

 

‘‘ଜୟ ଏକଲିଙ୍ଗ’’ ଶବ୍ଦେ, ମାତିଲେ ଆହବେ ।

ବାଳକ ବାଦଲ ବୀରେ ହେରି ରଣୋଦ୍ୟତ

ଯବନବାହିନୀପତି, କରି ଅଟ୍ଟହାସ

ତାଚ୍ଛଲ୍ୟବ୍ୟଞ୍ଜକ, ଉଚ୍ଚେ ବୋଇଲେ ଏସନ,-

 

‘‘ନୁହେଁ ରେ ବାଳକ, ଯୁଦ୍ଧ ପୁତ୍ତଳିକାଖେଳ

ତୋହର ପ୍ରିୟବାଞ୍ଛିତ, କି ସାହସେ ଭଲା

ଆସିଲୁ ଏ ସ୍ଥଳେ, ମୃତ୍ୟୁଭୟ ପରିହରି,

ଯା ଯା ମାତୃ ଅଙ୍କେ ଲୁଚ ଘୋଡ଼ି ତା’ ଅଞ୍ଚଳ ।’’

 

ନ ପାରି ବାଦଲ ଏହି ପରିହାସ ସହି

ଭାଷିଲା ସକ୍ରୋଧେ, ‘‘ଧିକ ନିର୍ବୋଧ ପାମର,

ଶିଶୁ ବୋଲି କରୁଅଛୁ ପରା ପରିହାସ,

କରିପାରୁ ଆଜି ଯଦି ସେହି ଶିଶୁପାଶୁଁ

 

ଆତ୍ମରକ୍ଷା, ତେବେ ମୂଢ଼ ବହିବୁ ଗୁମାନ,

ନ ଜାଣୁ କି ଦୁଷ୍ଟ ଭଲା କରଭ ପ୍ରମାଣ

ମେଘଖଣ୍ଡ ବ୍ୟାପି ପାରେ ଅନନ୍ତ ଆକାଶ;

ନୁହେଁ କି ରେ ମାରାତ୍ମକ ସାନ ସାପ ବିଷ ?

 

ନୁହେଁ ମୁଁ ଇତର ଶିଶୁ- ସଦା ଭୀତପ୍ରାଣ,

ଅଟେ ସିଂହଶିଶୁ, ନୁହେଁ କି ଦୁର୍ଦ୍ଦମନୀୟ

ଶୈଶବ ପ୍ରଭାବ ସୁଦ୍ଧା ହର୍ଯ୍ୟକ୍ଷ ଶିଶୁର

ସହସ୍ର ଶୃଗାଳପକ୍ଷେ, କି ସମ୍ପର୍କ ଅବା

 

ବୟଃ ସହ ବୀରତ୍ୱର, ଅତିବୃଦ୍ଧ ଯେହୁ

ଶିଥିଳ ଇନ୍ଦ୍ରିୟ, ଯାର ଉତ୍ଥାନ ଶକତି

ହୋଇଅଛି ବିରହିତ, ସେ କି ତୋ ବିଚାରେ

ବଡ଼ ବୀର, ଧିକ୍‌ ଧିକ୍‌ ଧିକ୍‌ ତୋ ବିବେକ ।

 

ବୃଥା ବାକ୍ୟବିତଣ୍ଡାରେ କେଉଁ ପ୍ରୟୋଜନ,

ହୁଅ ଖରେ ଦୁଷ୍ଟ ଏବେ ପ୍ରବୃତ୍ତ ସମରେ,

ହେବା ଚିହ୍ନାଚିହ୍ନି କିଏ ପ୍ରବୀଣ, କେ ଶିଶୁ,

ନିବର୍ତ୍ତିବ ନିଶ୍ଚେ ତୋର ରଣକଣ୍ଡୁ ଆଜି ।’’

 

ଏହା ଭାଷି ବେନି ହସ୍ତେ ଧରି ବେନି ଗଦା

ପଶିଲା ବିପକ୍ଷ ମଧ୍ୟେ, ରାଜପୁତ ବୀରେ

ହେଲେ ତାର ଅନୁଗାମୀ ଅନୁବଳ ରଣେ,

ଘନ ରୁଦ୍ର ହୁହୁଙ୍କାର ମାରି ବୀରମଦେ

 

ବଧିଲା ଯବନସେନା ବୀରେନ୍ଦ୍ର ବାଦଲ

ମୁହୂର୍ତ୍ତକେ ସଂଖ୍ୟାତୀତ, ଗଲା ଭାଙ୍ଗି ତହୁଁ

ଶତ୍ରୁ-ବ୍ୟୁହସୁଶୃଙ୍ଖଳା, ଦଳିଲା ହରଷେ

ଯବନବାହିନୀ, ଦେଲା ଛିନ୍ନଭିନ୍ନ କରି,

 

ବିମନ୍ଥିଣ ଥିଲେ ଯଥା କୁରୁକ୍ଷେତ୍ର ରଣେ

ଦୁସ୍ତର କୁରୁସାଗରେ ପାବନି ଦ୍ୱାପରେ ।

ପଡ଼ିଲେ ସମ୍ମୁଖେ ଯେତେ ଯବନସୈନିକେ,

ନ ଗଲେ ଉବୁରି କେହି, ଆସି ଦଳେ ଦଳେ

 

ଧାଇଁ, ଯାଉଥାନ୍ତି ପଡ଼ି ଗଦାଘାତେ-ତଳେ

ବାତ୍ୟାବର୍ତ୍ତେ ଉଠି ଯଥା ଚିଲିକା-ଲହରୀ

ଗୋଟାଏ ଗୋଟାକ ପଛେ, ଧାଇଁ ଆସି ଖରେ

ଯାଉଥାଏ ସ୍ତରେ ସ୍ତରେ ବେଳାପଦେ ଲୋଟି ।

 

ଯବନ ସେନାନାୟକେ ନିରେଖିଣ ଦୁରେ

ଧାଇଁଲା ତା ପ୍ରତି ବୀର, ଯେହ୍ନେ ଉତ୍କେଶର

କେଶରୀ, ସରୋଷେ ଧାଏଁ ଭକ୍ଷ୍ୟ ମୃଗ ପ୍ରତି ।

ଆସନ୍ନ ବିପଦେ ଦେଖି ସେନାପତିଙ୍କର,

 

ଧାଇଁ ଆସି ଚଉପାଶୁ ଯବନସୈନିକେ

ବେଢ଼ିଲେ ବାଦଲେ କ୍ଷିପ୍ରେ ନିବିଡ଼ ବେଷ୍ଟନେ,

ବେଢ଼ିଲେ କି ଅହୋ ସପ୍ତ ମହାରଥୀ ସହ

କୁରୁଯୋଧେ, ଗୁରୁବ୍ୟୁହଭେଦୀ ସୌଭଦ୍ରେୟେ ।

 

ମାତ୍ର ତହିଁ ନୋହି ଭୀତ ଆର୍ଯ୍ୟ ଶୁରମଣି

କଲା ଅଦ୍ଭୁତ ସମର, ଘୂରାଇଣ ଗଦା

ଅପୂର୍ବ ଶିକ୍ଷାକୌଶଳ ଦେଖାଇ ଅରିକି

କଲା ଚକିତ ସ୍ତମ୍ଭିତ । ମଣୁଥିଲା ଯାକୁ

 

ମାର୍ଜାର ସଦୃଶ ବୈରି, ଅବଲୋକି ତାର

ଉଗ୍ର ବ୍ୟାଘ୍ର ପରାକ୍ରମ, ଗଣିଲା ପ୍ରମାଦ ।

ଘୁରିଲା ସେ ମହାଗଦା ପବନୁ ପ୍ରଖରେ

ଗର୍ଜି ସନସନ ସ୍ୱନେ, ମଣ୍ଡଳ ଆକାରେ

 

ଆଗେ, ପଛେ, ବେନି ପାର୍ଶ୍ୱେ ଶିରୋପରେ ସଦା,

ପ୍ରକଟାଇ ବିଦ୍ୟୁବିଭା ଦୃଷ୍ଟିନିମୀଳନୀ;

ପ୍ରତେ ହେଲା କାଳଚକ୍ର ଘୂରିଲା ପରାୟେ

ଚରାଚରତ୍ରାସପଦ, ଅନର୍ଗଳ ବେଗେ ।

 

ନିକ୍ଷେପିଲେ ଚଉପାଶୁ ଯବନସୈନିକେ

ବିବିଧ ଆୟୁଧ, ମାତ୍ର ବାଜି ସେ ସକଳ

ଘୂର୍ଣ୍ଣାୟିତ ଗଦାଦ୍ୱୟେ, ହେଲା ଚୂର୍ଣ୍ଣ କେହି,

କେହି ବକ୍ରମୁନ, ଦେଖି ପ୍ରତିପକ୍ଷେ ଏହା

 

ଲଭିଣ ବିସ୍ମୟ ଅତି ବୋଇଲେ ଏ ଶିଶୁ

ଶିଖିଛି ନିଶ୍ଚୟ ବାଣ-ବାରଣୀ ମନ୍ତର ।

ଅରି ଅସ୍ତ୍ରେ କରି ପଣ୍ଡ ବୀରଧୁରନ୍ଧର,

ଦ୍ୱିଗୁଣ ସାହସ ବାନ୍ଧି ସଂହାରିଲା ଚମୂ

 

ଗୁରୁ ଗଦାଘାତେ; ଯାଏ ଧାଇଁ ଯେଉଁଆଡ଼େ

ପଡ଼ିଯାଏ ସୈନ୍ୟାରଣ୍ୟ ମଧ୍ୟେ ସେହି ଦିଗେ

ସୁପ୍ରଶସ୍ତ ପଥ, ଧାଏଁ ରକ୍ତସ୍ରୋତ ପଛେ,

ଅନୁସରେ ରକ୍ତଗଙ୍ଗା କିବା ଭଗୀରଥେ ।

 

ପଡ଼ି ତହିଁ ଯବନର ଶ୍ମଶ୍ରୁଳ ମସ୍ତକ

ଶୋଭିଲା, ଯେସନ ଶୋହେ ବ୍ରହ୍ମପୁତ୍ରୀ ଜଳେ

ବିକଚ କମଳପୁଷ୍ପ ସରଘାବେଷ୍ଟିତ ।

ଭାସିଲା କଚ୍ଛପ ସମ ଚର୍ମର ଫଳକ,

 

ମୀନ-ଭଗ୍ନକାତି ଭଗ୍ନଖଡ଼୍ଗ, ଶଲ୍ୟ-ସାପ,

କବନ୍ଧ-କୁମ୍ଭୀର, ଫେନ-ସୈନିକଉଷ୍ଣୀଷ

ଶ୍ୟାମଳ ଶୈବାଳଦଳ-ଛିନ୍ନ କେଶରାଶି,

ଶବପୁଞ୍ଜନାଭିଦେଶ-ସଲିଳ ଭଉଁରୀ ।

 

ବହିଲା ସମରସ୍ଥଳୀ ଯଜ୍ଞଭୂମିଭୂତି,

କ୍ରୋଧ ତହିଁ ଯଜ୍ଞାନଳ, ବାଦଲ ଯେ ହୋତା,

ବରଣୀୟ ବିପ୍ରଗଣ ସ୍ୱପକ୍ଷ ସୈନିକେ,

ଗଦା ଶ୍ରୁବ, ରକ୍ତ ଆଜ୍ୟ, ସୈନ୍ୟମୁଖରବ

 

ବେଦମନ୍ତ୍ର, ଚଣ୍ଡ-ଗଦା ନିଃସୃତ ଶୋଣିତ,

ଛିନ୍ନହସ୍ତ ଛିନ୍ନପଦ - ସମିଧ ସଦୃଶ,

ଯଜ୍ଞପଶୁ-ଶତ୍ରୁଶବ, ଶତ୍ରୁର ଜୀବନ

ନିଶ୍ଚେ ସୋମରସ ଏହି ନରମେଧ ଯାଗେ ।

 

ସଂହାରିଲା ଅଧେ ଶତ୍ରୁ ଏକାକୀ ବାଦଲ,

ଏଣେ ରାଜପୁତ ବୀରେ ବିପୁଳ ସାହସେ

ବଧିଲେ ଅଗଣ୍ୟ ଅରି, ନ ତିଷ୍ଠି ଯବନେ

ଦୁର୍ଦ୍ଦଣ୍ଡ ପ୍ରତାପେ ତାଙ୍କ ପଳାଇଲେ ଦ୍ରୁତ

 

ଛତ୍ରଭଙ୍ଗ ହୋଇ, ତହୁଁ ବାଦଲବାହିନୀ

ଧାଇଁ ଖରେ ପଛେ ପଛେ ବହୁଦୂରଯାଏଁ

ବିତାଡ଼ି ଆସିଲେ ତାଙ୍କୁ ରାଜ୍ୟସୀମା ପାରେ ।

ଆସିଥିଲେ ଦୁଷ୍ଟେ କେଡ଼େ ଯଶରଙ୍କ ହୋଇ,

 

ମାତ୍ର ହୋଇ ପ୍ରାଣରଙ୍କ ପଳାଇଲେ ଶେଷେ;

ମନେ କରି ଅତି ହେୟ ଯାହାକୁ ଯବନ

ମହୀଲତା ତୁଲ୍ୟ, କ୍ଷୀଣ ନିରୀହ ଦୁର୍ବଳ,

ଆସିଥିଲା ଗ୍ରାସିବାକୁ ପ୍ଳବଙ୍ଗମ ସମ,

 

ପ୍ରତ୍ୟକ୍ଷେ ଉତ୍‌ଫଣ ଫଣୀ ଦେଖି ଏବେ ତାକୁ

ହେଲା ଭୀତ ହତୋତ୍ସାହ, ବୁଝି ଆତ୍ମଭ୍ରମ;

ଜାଳିଥିଲା ଯେ ଭତ୍‌ଶିଖ ଜିଗୀଷା-ଦିହୁଡ଼ି,

ହତାଶା ଫୂତ୍କାର ତାହା ଗଲା ଖରେ ନିଭି ।

 

ତୁଟିଯାନ୍ତେ ତା ଉଦ୍ଦାମ ବିଜୟ ଭରସା

ବାହୁଡ଼ିଲା ଯବନେଶ ସଦଳେ ସ୍ୱଦେଶେ

ମହାଦୁଃଖମନେ, ଯଥା ଦସ୍ୟୁପତି, ଖାଇ

ପ୍ରହାର ପ୍ରହରିହସ୍ତୁ, କରାଇ ପ୍ରହୃତ

 

ସ୍ୱଦଳେ, ଦାରୁଣ ଦୁଃଖେ ଯାଏ ଘରେ ଫେରି

ଶୂନ୍ୟହସ୍ତେ, ଶୂନ୍ୟମନେ, ଦୀଘଶ୍ୱାସ ତେଜି ।

ଅନନ୍ତର ବାହୁଡ଼ିଲା ଆର୍ଯ୍ୟ ଅନୀକିନୀ

ରାଜପୁତ ରାଜଧାନୀ ଚିତୋରାଭିମୁଖେ,

 

ଆଭାସିଉଠିଛି ଆଜି ସକଳ ବଦନେ

ଜୟଶ୍ରୀ ଗରିମା ରାଗ, ସୌରବରୋଜ୍ଜ୍ୱଳ,

ଆନନ୍ଦର ଶତମୁଦ୍ରା ମୁଦ୍ରିତ ଲଲାଟେ;

ଗତିପଥେ ବୀରନୃତ୍ୟ ରଚି ତାଳେ ତାଳେ

 

ଗାଇ ଗାଇ ଦୃପ୍ତକଣ୍ଠେ ଜାତୀୟ ସଙ୍ଗୀତ

ସ୍ଫୀତବକ୍ଷେ ସ୍ମିତମୁଖେ, ହେଲେ ଅଗ୍ରସର

ସର୍ବେ, ଘେନି ସେନାପତି ବାଦଲେ ପୁରତେ,

ଯଥାକାଳେ ଉପସ୍ଥିତ ଦୁର୍ଗ ସିଂହଦ୍ୱାରେ ।

 

ଅପେକ୍ଷାରେ ଥିଲେ ତହିଁ ପଦ୍ମିନୀ ସୁନ୍ଦରୀ

ବହୁକ୍ଷଣ ପୂର୍ବୁ, ଆସି ମିଳନ୍ତେ ବାଦଲ,

ବର୍ଷିଲେ ତା ଶିରେ ଅଘ୍ୟ ସଙ୍ଗିନୀ ଗହଣେ ।

ପ୍ରଣମନ୍ତେ ବୀରଚୂଡ଼ା ପିତୃସ୍ୱସା ପଦେ,

 

ଉଠାଇ ସାଦରେ ତାକୁ, ଚୁମ୍ୱି ଖଡ଼୍ଗ, ଶିର,

ଘେନିଗଲେ କୋଳ କରି ନିଜ କକ୍ଷେ ଦେବୀ;

ବୋଇଲେ ସସ୍ନେହେ, ‘‘ବତ୍ସ, ହୁଅ ଦୀର୍ଘଜୀବୀ,

ମୃତ୍ୟୁଚକ୍ର କ୍ଷୁରଧାର ଯେଉଁ ରଣଭୂମି,

 

ଯୁଝି ତହିଁ ତୁହି, ଅହୋ ଦେଖାଇଲୁ ପୁଣି

ଯେ ଶ୍ମରତ୍ୱ, ତାହା ଏକା ତୋତେ ପଟାନ୍ତର ।

ଉଦ୍ଧାରି ଯବନ-ରାହୁ-କରାଳ କବଳୁ

ଆର୍ଯ୍ୟର ଗୌରବ-ରବି, ଅର୍ଜିଲୁ ଯେ ଯଶ,

 

ଅମୃତ ଆମୋଦ ତାର, ଏ ରାଜସ୍ଥାନର

ପବିତ୍ର ମୃତ୍ତିକା ପୁଣି ବିମୁକ୍ତ ବାୟୁର

ପ୍ରତି ପରମାଣୁ ସହ ରହିଥିବ ମିଶି

ରାଜପୁତ ରାଜସ୍ଥାନ ନାମ ଥିବାଯାଏ ।

 

ତୁହି ଏକା ସାନ୍ତ୍ୱନାରେ ଆର୍ଯ୍ୟକୁଳଶଶୀ

ଗୋରାସିଂହ ଅପାସୋରା ନିଧନ ଶୋକର ।

କି ଦେଇ ତୋଷିବି ବତ୍ସ, ତୋତେ ଅବା ମୁହିଁ,

ତବ କୃତ ଅଶୋଧିତ ମହୋପକାରର

 

ଅଛି କିବା ଏ ଜଗତେ ଯୋଗ୍ୟ ପୁରସ୍କାର ?’’

ଏହା ଭାଷି ଗନ୍ତାଘରୁ ଅଣାଇ ବହନ

ଦିବ୍ୟ ଅସ୍ତ୍ର, ବଜ୍ରବର୍ମ, ଗଣ୍ଡାଚର୍ମ ଢାଲ

ବିହିଲେ ପାରିତୋଷିକ ଭ୍ରାତୁଷ୍ପୁତ୍ର ପ୍ରତି,

 

ବୀରର ବାଞ୍ଛିତ ସିନା ଏ ମହା ବିଭବ

ଧରିଲା ଉଜ୍ଜ୍ୱଳ ବେଶ ଚିତୋର ନଗରୀ

ମୁକ୍ତ ହୋଇ ବହୁଦିନୁ ଶତ୍ରୁ ଅବରୋଧୁ,

ଅନଳ ପରୀକ୍ଷୋତ୍ତୀର୍ଣ୍ଣ କୁନ୍ଦନ ଯେସନ ।

 

ହସିଲା ଆଲୋକମାଳେ ଆର୍ଯ୍ୟ ରାଜଧାନୀ

ରାତ୍ରିକାଳେ, ମିଶି କିବା ସତୀ ମହିମାର

ଦୀପ୍ତରାଗ, ବୀରତ୍ୱର ରୁଦ୍ର ତେଜ ସହ

ଉଠିଛି ପ୍ରଖରେ ଜଳି, ରାଜ୍ୟ ଦୀପାଲୋକେ,-

 

ଜନହୃଦ ଆଶାଲୋକେ ଆଲୋକିତ ଅତି ।

ନାହିଁ କାହିଁ ତିଳେ ସ୍ଥାନ ମୁଣ୍ଡ ଗୁଞ୍ଜିବାକୁ

ଅନ୍ଧାରର, ଭୟେ ସେହୁ ପଳାଇ ସତ୍ୱର

ନିରାନନ୍ଦ ସଙ୍ଗେ, ଯାଇ ପଶିଛି ଶରଣ

 

ପରାଜୟ ଜ୍ୱାଳାମୟ ବିପକ୍ଷ ହୃଦୟେ ।

ଲାଗିଛି ସାଟୋପେ ମହା ବିଜୟ ଉତ୍ସବ,

ନୃତ୍ୟେ ଗୀତେ ବାଦ୍ୟେ ପୂର୍ଣ୍ଣ ସମଗ୍ର ନଗରୀ,

ଲଭୁଛନ୍ତି ପୁରସ୍କାର ରଣଜୟୀ ଯୋଧେ

 

ନାନାବିଧ ରତ୍ନ, ଭୂଷା, ଗଜ, ବାଜୀ ଆଦି,

ମୁକ୍ତ ରାଜକୋଷ ଆଜି ଦୁଃଖୀ ରଙ୍କି ପାଇଁ,

ଲାଗିଅଛି ପୂଜା ପ୍ରଭୁ ଏକଲିଙ୍ଗ ପୀଠେ,-

ଦେବୀ ଉବର ମନ୍ଦିରେ, ଷୋଡ଼ଶୋପଚାରେ ।

 

ଉଠୁଅଛି କୋଟିକଣ୍ଠୁ ଜୟ ଜୟ ସ୍ୱର

ପଦ୍ମିନୀଙ୍କ ପୁଣ୍ୟ ନାମେ, ଉଚ୍ଚେ ବାରମ୍ୱାର,

ଶୁଶି ତାହା ପିଞ୍ଜରସ୍ଥା ଶାରିକାନିକର

ଘୋଷି ହେଲେ ଘନ ଘନ ‘‘ପଦ୍ମିନୀଙ୍କ ଜୟ’’ ।

ଦେଉଳ ପ୍ରାଚୀର ହର୍ମ୍ୟ ପ୍ରତିଧ୍ଵନି ଛଳେ

ଗାଇଲେ ଅସ୍ପଷ୍ଟ ସ୍ଜରେ ପଦ୍ମିନୀଙ୍କ ଜୟ

ଧନ୍ୟ ଶତ ଧନ୍ୟ ଦେବି, ଧନ୍ୟ ଗୋ ପଦ୍ମିନି !

ମହାମେଧାବିନୀ, ସତି, ଶତ ଧନ୍ୟ ତବ

ଅଘଟନ ସଂଘଟନ ଶକ୍ତିର ମହିମା ।

ପାତିବ୍ରତ୍ୟ ସଂରକ୍ଷଣେ ପାତିବ୍ରତ୍ୟ ସିନା

 

ଅମୋଘ ବ୍ରହ୍ମାସ୍ତ୍ର ଏକା-ଚରାଚରତ୍ରାସୀ ।

ଉଦ୍ଧାରିଲ ପାତିବ୍ରତ୍ୟେ ପାତିବ୍ରତ୍ୟ ବଳେ

ରାଜ୍ୟ ସ୍ୱାମୀ ସହ, ଦେବି, ତୁମ୍ଭେ ଏ ଭାରତେ,-

ସତୀମାତା, ସତୀପୂଜା, ଏ ପୁଣ୍ୟ ଭାରତେ

 

 

ଦ୍ୱିତୀୟ ସାବିତ୍ରୀ ନିଶ୍ଚେ, ଚିର ଅନଶ୍ୱରା ।

ଆପେ ଆତ୍ମସତ୍ତା ମଞ୍ଚେ ଯାଇଛି ଯା ରଖି

ସ୍ମୃତିଦେବୀସ୍ୱରୂପିଣୀ, ସେ ଦେବୀମୁରତି,

ସମାଜର ପୁଷ୍ପାଞ୍ଜଳି ଲଭୁଥିବ ସଦା;

 

ତୁମ୍ଭେ ବିଶ୍ୱପୂଜ୍ୟା, ଏଣୁ କେବଳ ଭାରତେ

ନ ରହିବ ଅବରୁଦ୍ଧ ତବ ପ୍ରୀତିପୂଜା,

ସେହି ମହାପୂଜା ଲଙ୍ଘି ଭାରତର ସୀମା

ବ୍ୟାପ୍ତ ହେବ ବିଶ୍ୱସାରା ସୂର୍ଯ୍ୟାଂଶୁ ସହିତ ।

 

ଅଛ ଚିରଦିନ ତୁମ୍ଭେ, ଥିବ ଚିରଦିନ,

ନ ଭଜିବ ତବ ସତ୍ତା ସଂସାରୁ ବିଲୟ;

ଶତଯୁଗ ମହାଯୁଗ ହୋଇଯିବ ଗତ,

ତଥାପି ନୋହିବ ତବ ମୁଖଶ୍ରୀ ମଳିନ ।